136

ଅବ୍ୟକ୍ତ

ଗୀତାଞ୍ଜଳି ମହାରଣା
ସନ୍ଧ୍ୟା ପହରରୁ ଆସି ପାହାନ୍ତା ହବାକୁ ବସିଲାଣି କିନ୍ତୁ ପିଲାଟା ବୋଧ ହଉନି. ରା ରା ହେଇ ଯେତେବେଳେ ହାଲିଆ ହେଇ ଯାଉଛି ଆଖି ବୁଜି ନିସ୍ତେଜ ହେଇ ପଡିଯାଉଛି, ତଣ୍ଟି ଶୁଖି ଯିବ ଭାବି ମା ତା ପାଟିରେ କ୍ଷୀର ଗେଞ୍ଜି ଦଉଚି. କଣ କରିବ ନିରାଶ୍ରି ଟା, ହାତ ପାଉଛି ନା ଗୋଡ ପାଉଛି.. ଯେ ଛୁଆ କୁ ଭଲ କରିବ, ଛୁଆ କୁ କୋଳ ରେ ଧରି ଆଖିରୁ ଯାହା ଲୁହ ଝରେଇ ଚାଲିଛି. ଛୁଆ ର ଫିକା ମଉଳା ମୁହଁ କୁ ଦେଖି ତା ଛାତି ଫାଟି ଯାଉଛି କାଲି ରୁ ପାଟି କୁ ପାଣି ଟୋପେ ନେଇନି. ମନେ ମନେ ଦୁର୍ଗା ମା କୁ ଡାକୁଥାଏ ଏପଟେ ଛୁଆ କୁ ଆଉଁସୁ ଥାଏ। ରାତି ପାହିଲେ ଛତର ପୂଜା। ମାଲୋ ତୁ ଆଜି ଧରା ପୃଷ୍ଠରେ ଅବତରଣ କରିଚୁ, ତୁ ବି ଗୋଟେ ମାଆ, ମା ମନ ର ଯନ୍ତ୍ରଣା ତତେ ଅଛପା ନାହିଁ। ମୋ ଛୁଆ କୁ ଭଲ କରି ଦେ। ତା କଷ୍ଟ ମତେ ଦେଇଦେ ମାଲୋ… କହି ଚିପୁଡ଼ି ହେଇ କାନ୍ଦୁଥାଏ,
……….. ସତ କୁ ସତ ତା ଡାକ ଦୁର୍ଗା ମଆ ଶୁଣିଲେ ବୋଧେ, ବାବୁ ବାବୁଆଣୀ ଲାଇଟ ନେଇ ଆସି ଛୁଆ କୁ ତା ମା ଠାରୁ ଆଉଁସି ଆଉଁସି ନିଜ କୋଳ କୁ ଆଣିଲେ । ଛୁଆ ପୁଣି କାନ୍ଦ ଆରମ୍ଭ କରିଦେଲା, ମା ଝଟପଟ ହେଇ ଉଠି ପଡିଲା, ଛୁଆ ମୁହଁ କୁ ଟିକେ ଆଉଁସି ଦେଲା । ଯା ଧନ ଯା, କାହିଁକି କାନ୍ଦୁଛୁ, ତୁ କାଲି ରୁ କାନ୍ଦୁଛୁ ଶୁଣି ରାତି ଅଧ ରେ ତତେ ବୋଧେ ଡାକ୍ତର ପାଖକୁ ନଉଛନ୍ତି ନ ହେଲେ କେବେ ତ ଏମିତି ଅଚାନକ ରାତି ରେ ଆସନ୍ତିନି l ମୋ ଡାକ ଦୁର୍ଗା ମା ଶୁଣୁ କି ନଶୁଣୁ ବାବୁଆଣୀ ନିଶ୍ଚୟ ଶୁଣିଲେ, କାନ୍ଦେ ନା ରେ ଧନ, ଏଇ ସାଙ୍ଗେ ସାଙ୍ଗେ ନେଇ ଆସିବେ, ପୁଣି ମୋ କୋଳ ରେ ଶୋଇ କ୍ଷୀର ଖାଇବୁ l ଛୁଆ ଟି କାଂଦୁରl ମୁହଁ ରେ ମାକୁ ଚାହିଁ ଥାଏ। ମା ବି ଲୁହ ଟଳ ମଳ ଆଖିରେ ଅଦୃଶ୍ୟ ହେବା ଯାଏ ଛୁଆ କୁ ଚାହିଁ ଥାଏ ।
ମା ମନଟା ଜମା ବୁଝୁନି, ଗୋଳେଇ ଘାଣ୍ଟି ହଉଚି ମନ। ମୋ ଛୁଆ ଟା କେତେ କାନ୍ଦୁ ଥିବ, ତଣ୍ଟି ଶୁଖି ଯିବନି କି କଣ ? କେତେବେଳେ ଯାଇ ଟିକେ ଖାଇଥିଲା, ଗଲାବେଳେ କ୍ଷୀର ଟିକେ ଖୋଇଦେଇଥିଲେ ହେଇଥାନ୍ତା। ବାବୁଆଣୀ କ’ଣ ଜାଣି ପାରି ବେ, ହଁ ନିଶ୍ଚୟ ଜାଣି ପାରି ପାଣି ଟୋପେ ପେଇ ଦେଇଥିବେ।
ସେ ବା ଗୋଟେ ମା…
ହେଇଲୋ ବାହାରେ ପାଟି ସୁଭିଲାଣି। ମୋ ଧନ ଆସିଲାଣି କି କଣ…. ଆଗରେ ବାବୁ ବାବୁଆଣୀ, ପଛରେ୨/୩ ଭୁସୁଣ୍ଡା ମଣିଷ ଙ୍କ ଭିତରୁ ଜଣେ ଛୁଆ କୁ କାନ୍ଧରେ ପକେଇ ଆଣୁଚି। ଛୁଆ ଟା ପୁରା ନିଝ।ଲିଆ ହେଇଯାଇଛି ଯେ ଗୋଡ଼ ଦିଟା ଠାଏ ଠାଏ ଝୁଲୁଛି, ଶୀଘ୍ର ଆଣିଲ ମୋ ଛୁଆ କୁ ଟିକେ କ୍ଷୀର ଖୋଇ ଦେଇ ଆଉଁସି ଦିଏ କହୁ କହୁ ସେ ଲୋକଟା ଦାଣ୍ଡ ଦୁଆରେ ଛୁଆ ଟାକୁ କଚାଡି ପକେଇଲା। ମୁଣ୍ଡ ନଥିବା ଛୁଆ ର ରକ୍ତ ଜର ଜର ଦେହକୁ ଦେଖି ମା ହାଉ ହାଉ କରି କାନ୍ଦି ଉଠିଲା, ଚିତ୍କାର କରି କାନ୍ଦି ଉଠିଲା। ପାଦ ତଳେ ମାଟି ନାହିଁ କି ମୁଣ୍ଡ ଉପରେ ଆକାଶ ନାହିଁ ଶୂନ୍ୟ ରେ ଅଣ ନିଶ୍ୱାସ, କାନ୍ଦି ବା ଭିତରେ ବାବୁଆଣୀ କଥା ତା କାନରେ ପଡ଼ିଲା. ଗତ ବର୍ଷ ମୋ ପୁଅ ସିରିଏସ ଥିବା ବେଳେ ମୁଁ ଗୋଟେ ବଳି ଦେବାକୁ ମା ଙ୍କ ପାଖରେ ମାନସିକ କରିଥିଲି, ଯା ହଉ ଏତେ ଦିନେ ପୂରଣ ହେଲା। ଏ କଥା ଶୁଣି ସେ ଜାଣିଗଲା ଯେ ତା ପୁଅକୁ ବଳି ଦିଆ ଯାଇଛି। ହେଲେ ତୁ ପ୍ରତିବାଦ କରିପାରିବୁନି କିମ୍ବା ମନ ଇଚ୍ଛା ଟାଣି ଘୋଷାରି ସେମାନଙ୍କୁ ମାରି ପାରିବୁନି କାରଣ ତୁ ଗୋଟେ ନିରୀହ, ଦୁର୍ବଳ ଶରଣାର୍ଥୀ। ଏମାନଙ୍କ ପାଖେ ଶରଣ ପଶିଛୁ। ତୁ କେବଳ କାନ୍ଦି ବୁ, କାନ୍ଦି କାନ୍ଦି ମରିଗଲେ ବି କାହାର କିଛି ଫରକ ପଡ଼ିବନି, କାହିଁକି ନା ତୁ ଗୋଟେ ଛେଳି, ତୋ ଛୁଆ ଗୋଟେ ଛେଳି ଛୁଆ।
ମଣିଷ କହେ ପଶୁ ମାନଙ୍କର ଆଧ୍ୟାତ୍ମ ଚିନ୍ତନ ନାହିଁ କାରଣ ପଶୁ ସମାଜ ରେ ମନ୍ଦିର ମସଜିଦ, ପୂଜା ପାଠ ନାହିଁ ସତ କିନ୍ତୁ ସେ ଈଶ୍ୱର ଙ୍କ ନାଁ ରେ ନିଜ ପେଟ ପୂଜା କରେ ନାହିଁ। ସେ ଯୁଗେ ଯୁଗେ ଶାନ୍ତି ପ୍ରିୟ ଜିବ। ତାର ଶାନ୍ତି ଯିଏ ଭଙ୍ଗ କରେ ସେ ଆକ୍ରମଣ କରେ ନାଇଁ ତ ନିଜ ପେଟ ର ଭୋକ ସମ୍ଭାଳି ନପାରି ଶିକାର କରେ. ନିଜ ପୁଅର ମଙ୍ଗଳ ପାଇଁ ଅନ୍ୟ ପୁଅକୁ ବଳି ଦିଏ ନାହିଁ. ମଣିଷ ହଉ କି ପଶୁ ସମସ୍ତ ଙ୍କ ଭିତରେ ସେଇ ଗୋଟିଏ କୋମଳ ମାତୃ ହୃଦୟ। ସତରେ କଣ ଦେବୀ ମା ରକ୍ତ ବଦଳ ରେ ଗୋଟିଏ କୋଳ ଶୂନ୍ୟ କରି ଆଉ ଗୋଟେ କୋଳ ପୂର୍ଣ୍ଣ କରନ୍ତି। ଛିଃ ଛିଃ ନିଜକୁ ଜ୍ଞାନୀ ପଣ୍ଡିତ ବୋଲାଉ ଥିବା ମଣିଷ କେତେବଡ ଧର୍ମାନ୍ଧ, ଅନ୍ଧବିଶ୍ୱାସୀ।
ମଣିଷ ଯେତେ କୁଟିଳ ତା ଭାଷା ମଧ୍ୟ ତା ଠୁ ଆହୁରି ଜଟିଳ. କିନ୍ତୁ ଛେଳି ପରି ତା ଭାଷା ମଧ୍ୟ ସରଳ. ତାର ସେଇ ମେଁ ଶବ୍ଦ ରେ କୋହ ଥାଏ ମୋହ ବି ଥାଏ। ତାର ଏମିତି ଅବ୍ୟକ୍ତ ଯନ୍ତ୍ରଣା କୁ ମଣିଷ ନୁହେଁ ପରମାତ୍ମା ବୁଝନ୍ତି। ଏତେ କଥା ଛେଳି ମା ବୁଝେ ନାହିଁ କେବଳ ଏତିକି ବୁଝିଛି ଯେ ତାର ନିରୀହ କଅଁଳ ଛୁଆ କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛନ୍ତି। ସେ କେବଳ ଛାତି ଫଟେଇ ଫଟେଇ ନିଶବ୍ଦ ରେ କାନ୍ଦେ।
କିଛି ଦିନ ପରେ ଦିନେ ଦେଖିଲା ମୁଣ୍ଡ ରୁ ପାଦ ଯାଏ ବିଶେଷ ଧରଣର ପୋଷାକ ରେ ଆଵୃତ୍ତ ମଣିଷ ସଦୃଶ ଜନ୍ତୁ ମାନେ ଆସି ବାବୁଆଣୀ ଠାରୁ ତାଙ୍କ ୮/୯ ବର୍ଷର ପୁଅକୁ ଛଡେଇ ନେଇ ଚାଲିଗଲେ ବାବୁ ବାବୁଆଣୀ ବାହୁନି ବାହୁନି କାନ୍ଦି ଘର କବାଟ ତାଲା ଦେଇ ଗାଈ, ଛେଳି, ମେଣ୍ଢା ଙ୍କୁ ପଘାରୁ ଖୋଲିଦେଇ ବ୍ୟାଗ ଧରି ପୁଅ ପଛେ ପଛେ ଗଲେ। ମା ଛେଳି କୁ ଭଲ ଲାଗିଲାନି। ପୁଅ ଆସୁ ଦେଖି କୁଆଡେଯିବି। ବାବୁଆଣୀ ମନ କେତେ କଷ୍ଟ ପାଉଥିବ ଆହାଃ…ଯା ହଉ ଛେଳି ର ମଣିଷ ପରି ଉନ୍ନତ ମସ୍ତିସ୍କ ନାହିଁ, ତାର ଅନୁନ୍ନତ ମସ୍ତିସ୍କ ରେ ମୂଲ୍ୟବାନ କଥା ଟିଏ କିନ୍ତୁ ଅଛି।
ଘର ଉପରେ ନଜର ରଖି ପାଖା ପାଖି ବୁଲୁଥାଏ, ଚାରିଆଡେ ନିରବ, ନିସ୍ତବ୍ଦ ଯୁଆଡେ ଚାହୁଁଚି ସିଆଡେ ଯାଉଛି। ନୀଳ ଆକାଶ ର ଧଳା ଧଳା ବାଦଲ ଖଣ୍ଡ ଖୁସି ରେ ଭାସି ଭାସି ଯାଉଛନ୍ତି। ନିର୍ମଳ ସୁଲୁସୁଲିଆ  ପବନ ରେ ପଶୁ ପକ୍ଷୀ ମାନେ ସବୁଜ ଜଙ୍ଗଲ ର ନୀଳ କଅଁଳିଆ ପତ୍ର ଖାଇ ପରିଷ୍କାର ନଦୀ ଝରଣା ର ପାଣି ପିଇ ନିର୍ଭୟ ରେ ରାସ୍ତାରେ ଦଳ ଦଳ ହେଇ ବୁଲୁଛନ୍ତି। ଗଛ ଲତା, ପାହାଡ଼ ପର୍ବତ ସମସ୍ତେ ସମସ୍ତଙ୍କୁ ଯେମିତି ହୃଦୟ ର ସହିତ ପାଛୋଟି ନେଉଛନ୍ତି। ଜଳଚର ଜୀଵ ମାନେ କୂଳରେ ଗୀତ ଗାଇ ନାଚୁଛନ୍ତି। ପକ୍ଷୀ ମାନେ ବାଦଲ ର ତାଳେ ତାଳେ ଉଡୁଛନ୍ତି। ରାତିର ସ୍ପଷ୍ଟ ଆକାଶ ରେ ଜହ୍ନ ତାରା ମାନେ ଆହୁରି ଚିକମିକ କରୁଛନ୍ତି। ସତେକି ଧରିତ୍ରୀ ମାତା ବହୁଦିନ ପରେ ଶାନ୍ତିରେ ଟିକେ ବିଶ୍ରାମ ନଉଚି।
ଦୁଇ ଦିନ ପରେ ଛେଳି ହଠାତ ଦେଖିଲା ବାପ ମା ଦିଜଣ କାନ୍ଦି କାନ୍ଦି ଫେରିଲେ। ତାଙ୍କ ପୁଅକୁ କୋରାନା ବୋଲି କିଏ ଗ୍ରାସ କରିଥିଲା ଯେ ଆଉ ଛାଡିଲା ନାହିଁ। ପୁଅ କୁ ଶେଷ ଥର ବାପ ମା ଦେଖି ବି ପାରିଲେନି. ତାକୁ କାଳେ ଛୁଇଁବା ମନା। ଛୁଆ କୁ ନେଇ ବାପା ମାଙ୍କ ଆଗରେ କୋଉ ଇଲେକ୍ଟ୍ରି ଚୁଲ୍ଲା ରେ ପୋଡିଦେଲେ। ଇଏ କି କଥା ଲୋ ମା, ମଣିଷ ପରି ଚାଲାଖ, ଚତୁର ଜୀବକୁ କିଏ ଏମିତି ଦଣ୍ଡ ଦେଲାଲୋ ମାଆ …ଛେଳି ସିନା ନିରୀହ ଦୁର୍ବଳ ପଶୁ ସେମାନଙ୍କ ଆଗରେ ତାଙ୍କ ପୁଅ ଝିଅ ସ୍ୱାମୀ ସ୍ତ୍ରୀ ବାପ ମାଆ ଙ୍କୁ ଟାଣି ନେଇ ତାଙ୍କ ଆଗରେ ହାଣି ନିଜ ପେଟ ରେ ହଜମ କରି ଦଉଥିଲା ଏବେ ସେଇ ମଣିଷର ସମ୍ପର୍କୀୟ ମାନଙ୍କୁ ଟାଣି ନେଇ କୋଉ ଚୁଲ୍ଲା ରେ ଉଭାନ କରିଦେଉଛନ୍ତି। ତାଙ୍କ କାନ୍ଦ ବୋବାଳି ଶୁଣି ସାହି ପଡିସା ଆହାଃ ପଦେ କହିବାକୁ ବି ଆସୁନାହାନ୍ତି, ସତେକି ପଞ୍ଜୁରୀ ରେ ବନ୍ଧା। ହେଲେ ଛେଳି ବୁଝି ପାରିଲା ନାହିଁ ଏ ମଣିଷ ମାନଙ୍କୁ ଘର ଭିତରେ ବନ୍ଦୀକରି ଏ ମୂର୍ଖ, ନିର୍ବୁଦ୍ଧିଆ ଜନ୍ତୁ ମାନଙ୍କୁ ଏତେ ସାହସ ସ୍ୱାଧୀନତା ଦେଲା କିଏ …… ତା ନିରସିଆ ମଗଜ ରେ କେବଳ ଏତିକି ଜାଣୁଥିଲା ଯେ ଏ ଧରା ରେ ନିଜକୁ ସର୍ବଶ୍ରେଷ୍ଟ ଭାବୁଥିବା ମଣିଷ ଠୁ ବି କିଏ ଜଣେ ବଡ ଅଛି….. ।
                                                                                                                              ଭବାନୀପାଟଣା, କଳାହାଣ୍ଡି ।
(ଲେଖିକା ଜଣେ ଓଡ଼ିଶାର ସ୍ୱନାମଧନ୍ୟ ଯୁବ ଗାଳ୍ପିକା)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!