58

ସୁଖିନାହିଁ କ୍ଷତ, ଲିଭିନାହିଁ ଦୁଃଖ

ଅକ୍ଟୋବର ୨୯ ଆସିଲେ, ଶିହରି ଉଠନ୍ତି କେନ୍ଦ୍ରାପଡ଼ାବାସୀ । ୧୯୯୯ ମସିହାର ମହାବାତ୍ୟାର ସେହି ପ୍ରଳୟଙ୍କାରୀ ଦୃଶ୍ୟ ଆଜି ଯେମିତି ଲୋକମାନଙ୍କ ମନରୁ ଅପାସୋରା ହୋଇ ରହିଛି । ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଥିଲା ମଣିଷ ସମାଜ । ଛାରଖାର କରିଦେଇଥିଲା ଉପକୂଳ ଅଂଚଳକୁ । ପୋକମାଛି ପରି ମରିପଡ଼ିଥିଲେ ମଣିଷ ଆଉ ପଶୁପକ୍ଷୀ । ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଇଥିଲା ସବୁଦିନ ପାଇଁ । ନିମିଷକ ମଧ୍ୟରେ ଭାଙ୍ଗିଯାଇଥିଲା ସୁଖର ସଂସାର । କିଏ ସ୍ୱାମୀଙ୍କୁ ହରାଇଥିଲାତ ଆଉ କିଏ ବାପ ମା’ ଛେଉଣ୍ଡ ହୋଇଯାଇଥିଲେ ସବୁଦିନ ପାଇଁ । ୨୧ ବର୍ଷ ପରେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ହତଭାଗ୍ୟ ପରିବାରଙ୍କ ଦୁଃଖ ଦୂର ହୋଇନାହିଁ । ମନରୁ ଲିଭିନି ମହାବାତ୍ୟାର ଭୟ । ଭାସିଯାଇଥିବା ୨୨ ଜଣଙ୍କୁ ମନେପକାଇ ଲୁହଝରାନ୍ତି ତେନ୍ତୁଳିକନ୍ଧା ଗ୍ରାମବାସୀ
୧୯୯୯ ମହାବାତ୍ୟାରେ ମହାକାଳପଡ଼ା ବ୍ଲକ୍‍ ରେ ୧୩୬ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା ।କେବଳ ତେନ୍ତୁଳିକନ୍ଧା ଗାଁରେ ୨୨ ଜଣଙ୍କର ଜୀବନ ନେଇଥିଲା ମହାବାତ୍ୟା । ଆଜିବି ଅନେକ ପରିବାର ଆଖିରୁ ଲୁହ ଶୁଖିନାହିଁ । ଏମିତିକି ନିଜ ପରିବାରର ୫ଜଣଙ୍କୁ ହରାଇ ଗାଁ ଛାଡ଼ିଦେଇଛନ୍ତି କାଳନ୍ଧୀ ହାତୀ । ଏଭଳି ଦୁଃଖଦ ଘଟଣାରେ ପ୍ରଶାସନ ଠାରୁ ଆରମ୍ଭ କରି ବହୁ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ସୁଅ ଛୁଟିଥିଲା ମହାକାଳପଡ଼ାର ସେହି ଗାଁ ତେନ୍ତୁଳିକନ୍ଧା ଗ୍ରାମକୁ । ହେଲେ ଆଜି ୨୧ ବର୍ଷ ପରେ ବଦଳିନାହିଁ ସେହି ଗାଁର ଚିତ୍ର । ଏବେବି ନୂଆଣିଆ ଚାଳଛପର ଘରେ ରହୁଛନ୍ତି ଅନେକ ପରିବାର । ମୃତକଙ୍କ ପରିବାରକୁ ମାତ୍ର ୭୫ ହଜାର ଟଙ୍କା ପ୍ରଦାନ କରି ପ୍ରଶାସନ ନିଜ ଦାୟିତ୍ୱ ଶେଷ କରିଥିବାର ଲୋକ ଅଭିଯୋଗ କରନ୍ତି । କେବଳ ଓସ୍‍ଡମା ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳ ଟିଏ ନିର୍ମାଣ ହୋଇଛି । ବାତ୍ୟାର କ୍ଷତିଗ୍ରସ୍ତ ଅନେକ ପରିବାରକୁ ଆଜି ପର୍ଯ୍ୟନ୍ତ ଇନ୍ଦିର ଆବାସ କିମ୍ବା ମୋ କୁଡ଼ିଆ ଯୋଜନାରେ ପକ୍କା ଘର ଖଣ୍ଡିଏ ମିଳି ନଥିବାର ମଧ୍ୟ ଅଭିଯୋଗ ହେଉଛି । ଅସହାୟ ଭାବେ ନିଜ ଭିଟାମାଟିରେ ଚାଳଛପର ଘରକୁ ପୁଣି ସଳଖି ବଂଚିଛନ୍ତି ଅନେକ ପରିବାର । ବାତ୍ୟା ସମୟରେ ଲୋକମାନଙ୍କୁ ନିରାପଦ ଘରେ ରହିବାର ଉଦ୍ଦେଶ୍ୟରେ ୯୯ଟି ଘର ନିର୍ମାଣ ହୋଇଛି । ସେଥିମଧ୍ୟରୁ ବାତ୍ୟା ଆଶ୍ରୟସ୍ଥଳ ୨୭, ବନ୍ୟା ଆଶ୍ରୟସ୍ଥଳ ୩, ରେଡ଼କ୍ରସର ଆଶ୍ରୟସ୍ଥଳ ୯, କାକା ପକ୍ଷରୁ ୨୭ଟି ଆଶ୍ରୟସ୍ଥଳ, କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ୫ଟି ଆଶ୍ରୟସ୍ଥଳ ନିର୍ମାଣ ହୋଇଛି । ହେଲେ ଆଶ୍ରୟସ୍ଥଳ ନିର୍ମାଣ ପରେ ତାର ରକ୍ଷଣାବେକ୍ଷଣ କଥା ସରକାର ଭୁଲିଯାଇଛନ୍ତି । ଏହି କାରଣରୁ ଏବେ ନଷ୍ଟ ହେବାକୁ ବସିଛି ଆଶ୍ରୟସ୍ଥଳ ଗୁଡ଼ିକ । ଏପରି ସ୍ଥଳରେ ବତୀଘର, ରାମନଗର, ଖରିନାସି, ଜମ୍ବୁ, ସୁନିତୀ, ଗୋଗୁଆ, ବରକନ୍ଧା ଓ ବଉଳକଣି ପଞ୍ଚାୟତର ଉପାନ୍ତ ଅଞ୍ଚଳର ଅଧିବାସୀମାନେ ବାତ୍ୟାକୁ ମୁକାବିଲା କରିବା ଏବଂ ବାତ୍ୟା ସମୟରେ ନିରାପଦରେ ରହିବା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବତୀଘର ପଂଚାୟତର ନିପାଣିଆରେ ନିର୍ମାଣ ହୋଇଥିବା ବହୁମୁଖୀ ବାତ୍ୟାଆଶ୍ରୟସ୍ଥଳୀ ଏବେ ଭୂତକୋଠିରେ ପରିଣତ ହୋଇଛି । ସେହିଭଳି ଲାଞ୍ଜୁରା ପଂଚାୟତର କାଇତାଲା ଠାରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଜମ୍ବୁ ପଂଚାୟତର କଣ୍ଡରାପାଟିଆ ଗାଁ ଦେଢଶହ ପରିବାରର ସମୁଦ୍ର ନିକଟରେ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟସ୍ଥଳୀ ଟିଏ ନିର୍ମାଣ ହୋଇପାରିନାହିଁ । ପୁଣି ସେହି ଅକ୍ଟୋବର ମାସ ଆସିଲେ ମନରେ ଭୟ ଘାରୁଛି । ଆଉ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ଗ୍ରାମବାସୀ ଆଉ ନଆସୁ ସେହି ଭୟଙ୍କର ବାତ୍ୟା ।
‘ଜୀବନ ବଂଚାଇଥିଲା ଏଇ ନଡ଼ିଆ ଗଛ ।’
ଗୁରୁବାର ରାତିରୁ ପବନ ବୋହିଲା । ଚାଳଛପର ଘରେ ସ୍ୱାମୀ ପୁଅ ବୋହୂ, ନାତି ନାତୁଣୀକୁ ସାଙ୍ଗରେ ନେଇ ସମସ୍ତେ ରହିଲୁ । ପବନ ଧିରେ ଧିରେ ବଢ଼ିବାକୁ ଲାଗିଲା ଅତ୍ୟଧିକ ପବନ ହେବାରୁ ଚାଳଛପର ଉଡ଼ିଗଲା । ସମସ୍ତେ ଗୋଟିଏ କୋଣରେ ସେମିତି ବର୍ଷା ପବନରେ ବସିଥିଲୁ । ଶୁକ୍ରବାର ସକାଳ ପ୍ରାୟ ୯ଟା ପାଖାପାଖି ହେବ, ବର୍ଷା ପବନ ଲାଗିରହିଥାଏ । ପାରାଦ୍ୱୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଁଣରୁ ମାଡ଼ିଆସିଲା ୧୦/୧୨ ଫୁଟରର ସମୁଦ୍ର ଜୁଆର । କେହି କିଛି ଭାବିବା ପୂର୍ବରୁ ଭସାଇ ନେଲା ଘର ଦ୍ୱାର । ପ୍ରାଣ ବିକଳରେ ଆମ ପରିବାର ଲୋକମାନେ ଘରର ଚାଳକୁ ଧରି ଚଢ଼ିଗଲୁ ଉପରକୁ । ହେଲେ ଜୁଆରର ପାଣିରେ ଭାସିଗଲେ ମୋ ସ୍ୱାମୀ । ବାପାଙ୍କୁ ବଂଚାଇବକୁ ଯାଇ ପୁଅ ଭାସିଗଲା । ତାପରେ ମୁଁ , ବୋହୂ ଓ ଦୁଇ ନାତୁଣୀ ପାଣିମାଡ଼ରେ କିଏ କୁଆଡ଼େ ଭାସିଗଲୁ । ମୁଁ ଭାସିଯିବା ସମୟରେ ଘର ଆଗ ଏକ ନଡ଼ିଆ ଗଛକୁ ଧରି ବଂଚି ରହିଲି । ରାତି ପାହିଲା, ସକାଳ ହେଲା ସେମିତି ଗଛକୁ ଧରି ରହିଥାଏ । ତାପରେ କିଛି ଲୋକେ ମୋତେ ଉଦ୍ଧାର କରିଥିଲେ । ହେଲେ ମୋର ବୋହୂ ଓ ଦୁଇ ନାତୁଣୀ ରୁବି ଓ ଲିପି ଓ ମୋ ସ୍ୱାମୀ ମରିପଡ଼ିଥିବାର ଖବର ପାଇଲି । ସୌଭାଗ୍ୟକୁ ପୁଅ ବଂଚି ଯାଇଥିଲା । । ଆଜବିିି ସେଦିନର ଚିତ୍ର ମନରୁ ଲିଭିନି । ସେଦିନର କଥା ମନେପଡ଼ିଲେ ଆଖିରେ ଲୁହ ଝରିଆସେ । ଏଇ ସେହି ନଡ଼ିଆ ଗଛ, ଯିଏ ମୋର ଜୀବନକୁ ବଂଚାଇଥିଲା । ଆଜିବି ମୁକସାକ୍ଷୀ ହୋଇ ଠିଆ ହୋଇଛି । ହେଲେ ଆମ ପରିବାରକୁ ଭାଙ୍ଗିଦେଇଗଲା ମହାବାତ୍ୟା । ଆଖିରୁ ଲୁହଝରାଇ କହନ୍ତି ୭୪ ବର୍ଷିୟା ବାସନ୍ତୀ ସ୍ୱାଇଁ ।

କେନ୍ଦ୍ରାପଡ଼ା ଜିଲାରେ ମୃତ୍ୟୁ ମୁଖରେ ପଡ଼ିଥିଲେ ୩୮୭ ଜଣ ।
ମହାବାତ୍ୟା କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣ ନିରୀହ ଜୀବନକୁ ଶେଷ କରିଦେଇଥିଲା ଅସମୟରେ । କେନ୍ଦ୍ରାପଡ଼ାରେ ୯୬, ମାର୍ଶାଘାଇରେ ୭୫, ମହାକାଳପଡ଼ାରେ ୧୩୬, ପଟ୍ଟାମୁଣ୍ଡାଇରେ ୨୪, ଆଳିରେ ୫, ରାଜନଗରରେ ୪୯ ଏବଂ ରାଜକନିକାରେ ମାତ୍ର ଦୁଇ ଜଣଙ୍କର ଜୀବନ ଯାଇଥିଲା ମହାବାତ୍ୟାର ମହାକୋପରେ । ଆଉ ସରକାରଙ୍କ ପକ୍ଷରୁ ୭୫ ହଜାର ଟଙ୍କର ସହାୟତା ସଂପୃକ୍ତ କରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିଲା ।
ଭିତରକନିକା ପାଇଁ ବଞ୍ଚିଯାଇଥିଲା ରାଜକନିକା ।
ଭିତରକନିକାର ଲୁଣାଜଙ୍ଗଲ ପାଇଁ ରାଜକନିକା ବ୍ଲକ୍‍ରେ ୯୯ ମହାବାତ୍ୟା ସେତେଟା ପ୍ରଭାବ ପଡ଼ିନଥିଲା । ମାତ୍ର ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା । ଉପକୂଳ ଅଞ୍ଚଳରେ ଲୁଣା ଜଙ୍ଗଲ ହିଁ ଅନେକ ସ୍ଥାନରେ ବାତ୍ୟାର ପ୍ରଭାବକୁ ବହୁମାତ୍ରାରେ କମ୍‍ କରିଦେଇଥିବାର ଦେଖିବା ପାଇଁ ମିଳିଥିଲା । ଏହି କାରଣରୁ ଆଳି ଏବଂ ରାଜକନିକା ଅଂଚଳ ପାଇଁ ଆଶୀର୍ବାଦ ପାଲଟିଛି ଭିତରକନିକା ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!