ଭୁବନେଶ୍ୱର : ଆଜିି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳନ କରାଯାଉଛି ମା’ଗଜଲକ୍ଷ୍ମୀଙ୍କ ପୂଜା। ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ ଅଧିକ ସାଜସଜ୍ଜା। କେବଳ ପୂଜାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ପ୍ରତିବର୍ଷ ଖୁବ ଜାକଯକମରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପୂଜା ପାଳନ କରାଯାଉଛି। ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ ଆନନ୍ଦର ସହ ଏହାକୁ ପାଳନ କରିଥାଆନ୍ତି। କୁମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି। ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |