48

ପରଲୋକରେ ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ

କଟକ,୨୨/୧୧: ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିମୋନିଆରେ  ଆକ୍ରାନ୍ତ ହୋଇ ପ୍ରାୟ ୧୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଏବଂ ୨ ଝିଅ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକପ୍ରକାଶ କରିଛନ୍ତି ।ଜିମୂତ ପଟ୍ଟନାୟକ ନିକଟରେ ସେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ଲୋକଙ୍କ ହୃଦୟରେ ସାଇତା ହୋଇ ରହିଛି ।ହାସ୍ୟ ଅଭିନେତା ଜିମୂତ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିଥିଲେ । ସେ ବନ୍ଧୁ ବିଶିଷ୍ଟ ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ପ୍ରତ୍ୟେକ ଧାରାବାହିକରେ ଅଭିନୟ କରିଥିଲେ । ଏକାଠି ଦୁହେଁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ କରିବା ସହିତ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ନାଟକ ‘ସମାଧାନ’, ‘ଲଙ୍କାପୁରର କାହାଣୀ’ ଇତ୍ୟାଦି ଶତାଧିକ ନାଟକରେ ଅଭିନୟ କରିଥିଲେ । କେବଳ କମେଡି ନୁହେଁ ଅନେକ ନାଟକ ଏବଂ ଧାରାବାହିକରେ ଭଲ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିଣି ନେଇଥିଲେ । ପୁଲିସ ବିଭାଗରେ ଚାକିରି କରି ଅବସର ନେବା ପରେ ବି ସେ ତାଙ୍କର ଅଭିନୟ ଜାରି ରଖିଥିଲେ । ତାଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!