44

ଆଜି କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୦୧/୧୨:    କୃଷି ଆଇନ ବିରୋଧରେ  କୃଷକଙ୍କ  ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି ।୫ ଦିନର ଆନ୍ଦୋଳନ ପରେ ଆଲୋଚନା ପାଇଁ ଚାଷୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ସରକାର।  କେନ୍ଦ୍ର ସରକାର ମଧ୍ୟ ଏହାକୁ କିପରି ପ୍ରଶମିତ କରିବେ ସେନେଇ କିଛି ଉପାୟ. ପାଉନାହାଁନ୍ତି । ଏହାମଧ୍ୟରେ ସରକାର ବିଭିନ୍ନ କୃଷକ ସଙ୍ଗଠନ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । ମଙ୍ଗଳବାର ସରକାର ବିଭିନ୍ନ ସଙ୍ଗଠନକୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି ।କରୋନା ସଙ୍କଟ ଓ ଶୀତକୁ ଦେଖି ସରକାର ମଙ୍ଗଳବାର କୃଷକଙ୍କ ସହ ଆଲୋଚନା କରିବେ । ପୂର୍ବରୁ ଡିସେମ୍ବର ୩ରେ କୃଷକଙ୍କ ସହ ଆଲୋଚନା ହେବା ନେଇ ସରକାର କହିଥିଲେ । ବୈଠକ ପରେ ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । କୃଷକମାନେ ଗତ ୬ ଦିନ ହେଲା ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି । ଏହାସହ ଦାବି ପୂରଣ ନହେବା ଯାଏଁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତେବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଅନ୍ନଦାତାଙ୍କ ସହ ବୈଠକ ପରେ ଧାରଣା ହଟିବ ବୋଲି ଆଶା କରିଛନ୍ତି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାସହ ଦୁଇଟି ସର୍ତ୍ତ ରଖିଥିଲେ ମଧ୍ୟ । ଯାହାକୁ କୃଷକନେତାମାନେ ବିରୋଧ କରିବା ସହ ଆଲୋଚନା ପ୍ରସ୍ତାବକୁ ଖାରଜ କରିଥିଲେ । କୃଷକ ନେତା ବୁଟା ସିଂ ବୁର୍ଜଗିଲ୍ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କୁ ଫୋନ୍ କରିଥିଲେ । କୌଣସି ସର୍ତ୍ତ ନରଖି ସାକ୍ଷାତ ପାଇଁ କହିଥିଲେ । ଏହାସହ ଆନ୍ଦୋଳନ ହଟାଇବାକୁ ମଧ୍ୟ କହିଥିଲେ । ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଏବେ ସରକାର ଲିଖିତ ଭାବେ ଆଲୋଚନା ପାଇଁ ଡାକିଛନ୍ତି । ସୂଚନାଯୋଗ୍ୟ, ନୂତନ କୃଷି ଆଇନ୍‌ ବିରୋଧରେ ରାଜଧାନୀରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାପରେ କେନ୍ଦ୍ର ସରକାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ । ବିଜେପି ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଜେପି ସଭାପତିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ। ଏବେ ଆନ୍ଦୋଳନକାରୀ କୃଷକ ଦିଲ୍ଲୀ-ହରିୟାଣା ସୀମା ସିନ୍ଧୁ ବର୍ଡରରେ ଡେରା ପକାଇଛନ୍ତି। କିଛି ଚାଷୀ ଦିଲ୍ଲୀର ନିରଙ୍କାରୀ ପଡିଆରେ ଉପସ୍ଥିତ ଅଛନ୍ତି। ଶନିବାର କୃଷକ ସଂଘ ସିନ୍ଧୁ ବର୍ଡରରେ ହିଁ ଆନ୍ଦୋଳନ ଜାରି ରଖିଥିଲେ ଓ ବୁରାଡିର ନିରଙ୍କାରୀ  ପଡିଆକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!