39

ଖୋଲୁଛି ବାପ-ପୁଅଙ୍କ ଦୁର୍ନୀତିର ପେଡ଼ି

ଭୁବନେଶ୍ବର, ୦୨/୧୨ : ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଗୁମର ଖୋଲିଛି । । ଅଭୟ ପାଠକଙ୍କ ପୁଅ ଆକାଶ ଆକାଉଣ୍ଟରେ ୯ କୋଟି ୪୮ଲକ୍ଷ ଟଙ୍କା ନୁହେଁ, ବରଂ ୧୪ କୋଟି ୭୭ଲକ୍ଷ ଟଙ୍କା ରହିଛି । ଏଥିରେ ଅନ୍ୟାନ୍ୟ ସୂତ୍ରରୁ ୫କୋଟି ୨୯ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ଅଧିକାରୀମାନେ ରେକର୍ଡ ଯା଼ଞ୍ଚ ବେଳେ ଧରିଛନ୍ତି।ହେଲେ ପ୍ରଶ୍ନ ଉଠୁଛି, ପୁନେରେ ଆକାଶ କାରବାର କରୁଥିବା ବେଳେ ତାଙ୍କ ଭୁବନେଶ୍ବର ଆକାଉଣ୍ଟରେ କାହିଁକି ଟଙ୍କା ଜମା ହେଉଥିଲା ଓ କିଏ କରୁଥିଲା ? ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଆକାଶଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉପରେ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଏହି ଲିଙ୍କ୍‌କୁ ଧରି ଆସନ୍ତାକାଲି ଦୁଇଟି ଘରୋଇ ବ୍ୟାଙ୍କର ଏକାଧିକ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ୍ କରାଯାଇଛି । ଅନ୍ୟପକ୍ଷରେ ତଦନ୍ତ ପରିସର ବୃଦ୍ଧି କରି ଭିଜିଲାନ୍ସ ଏସ୍‌ଆଇଟି ଟିମ୍ ଆଜି ପାଠକଙ୍କର ଘନିଷ୍ଠ ବୋଲି କୁହାଯାଉଥିବା ଜଣେ ଡିଏଫଓ ଓ ଦୁଇଜଣ ଏସିଏଫ୍‌ଙ୍କୁ ଢେର୍ ସମୟ ଯାଏ ପଚରାଉଚରା କରିଛି । ସେମାନେ ଶ୍ରୀ ପାଠକଙ୍କ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ସମାନ୍ତରାଳ ଭାବେ ପାଠକଙ୍କ କେଳେଙ୍କାରୀ କେଉଁ କେଉଁ ସଂସ୍ଥାକୁ ଓ କେତେ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ସେ ଦାୟିତ୍ବରେ ଥିବା ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଏବଂ ପିସିସିଏଫ୍ କାର୍ଯ୍ୟାଳୟରେ ଚଢଉ କରାଯାଇଛି। ଅନେକ ରେକର୍ଡ ଜବତ କରିଛି। ତାଙ୍କର ବ୍ୟକ୍ତିଗତ ଫାଇଲ୍ ଆଣିବା ସହିତ ଏସବୁ କାର୍ଯ୍ୟାଳୟରୁ ହଜାର ହଜାର ପୃଷ୍ଠାର ଦସ୍ତାବିଜ୍ ଜବତ କରିଛି। ତାଙ୍କ ସଂପର୍କରେ କିଛି ଠୋସ୍ ତଥ୍ୟ ଭିଜିଲାନ୍ସ ଜଙ୍ଗଲ ବିଭାଗକୁ ମାଗିଛି। ହେଲେ କେଉଁ କେଉଁ ଫାଇଲ୍ ମାଗାଯାଇଛି, ସେ ନେଇ କିଛି କହିବାକୁ ଚାହିଁନାହାନ୍ତି।ଭିଜିଲାନ୍ସ ଏକ ପ୍ରେସ ଇସ୍ତାହାରରେ ଜଣାଇଛି ଯେ ଏସ୍‌ଆଇଟି ଟିମ୍‌ରେ ୩ଜଣ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସ୍‌ପି, ୩ଜଣ ଇନ୍ସପେକ୍ଟର, ବ୍ୟାଙ୍କ କନସଲ୍‌ଟାଣ୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ୍, ଫରେନ୍‌ସିକ୍ ଅଡିଟର ଆଦି ସାମିଲ ହୋଇଛନ୍ତି। ହେଲେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ମାମଲାର ପରିସର ଧୀରେ ଧୀରେ ବଢୁଥିବା ପରିପ୍ରେକ୍ଷୀରେ ଅଧିକ ଅଫିସର ଏହି ଟିମ୍‌ରେ ନିଆଯିବ। ଇତିମଧ୍ୟରେ ଆକାଶଙ୍କ ଟାଟା ମୋଟର୍ସ ସଂପର୍କିତ ଜବତ କାଗଜପତ୍ର ଭିଜିଲାନ୍ସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ଓ ଏହାର ପୃଥକ୍ ତଦନ୍ତ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!