ନୂଆଦିଲ୍ଲୀ,୦୩/୧୨: ଚାଷୀଙ୍କ ଦାବିଗୁଡ଼ିକୁ ସରକାର ନ ମାନିଲେ ଆସନ୍ତା ୮ ତାରିଖରୁ ଧର୍ମଘଟ କରାଯିବ ବୋଲି ଚେତାବନୀ ଦେଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ପାଇଁ ବାହାରିଛି ପରିବହନ ସଂଘ । ପ୍ରଥମେ ଉତ୍ତର ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଠପ୍ କରିଦିଆଯିବ । ପରେ ସାରା ଦେଶରେ ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ ବୁଧବାର କୁହାଯାଇଛି । ସର୍ବଭାରତୀୟ ମୋଟର ପରିବହନ ସଂଘ (ଏଆଇଏମ୍ଟିସି)ର ସଭାପତି କୁଲତରନ୍ ସିଂହ ଅଟୱାଲ କହିଛନ୍ତି, ଡିସେମ୍ବର ୮ ତାରିଖରୁ ସମଗ୍ର ଉତ୍ତର ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯିବ । ଏହାଦ୍ୱାରା ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ଏବଂ ଜମ୍ମୁ-କାଶ୍ମୀର ପ୍ରଭାବିତ ହେବ । ତା’ ସତ୍ତେ୍ୱ ସରକାର ଯଦି ଚାଷୀଙ୍କ ଦାବି ପୂରଣ ନ କରନ୍ତି, ସାରା ଦେଶରେ ଚକା ଜାମ୍ ହେବ । ସଂଘ ଅଧୀନରେ ଥିବା ସମସ୍ତ ପରିବହନକାରୀ ଯାନ ଚଳାଚଳ ବନ୍ଦ ରହିବ । ଏଆଇଏମ୍ଟିସି ଅଧୀନରେ ପାଖାପାଖି କୋଟିଏ ଟ୍ରକ୍ ମାଲିକ ରହିଛନ୍ତି । ସୂଚନାଯୋଗ୍ୟ, ଦେଶ ମଧ୍ୟରେ ହେଉଥିବା ମାଲ ପରିଚାଳନାରେ ସଡ଼କ ପରିବହନର ଅଂଶ ପାଖାପାଖି ୬୦% ହେବ । ସେହିଭଳି ଯାତ୍ରୀ ପରିବହନରେ ଏହା ୮୭% । ତେଣୁ ଏଆଇଏମ୍ଟିସି ଯଦି ଡିସେମ୍ବର ୮ରୁ ଧର୍ମଘଟ ଆରମ୍ଭ କରେ, ଘରୋଇ ବଜାରରେ ପନିପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |