151

ଗାଁ ପାଇଁ ଗୁରୁଭାଇ

ରାଜକନିକା,୧୨/୧୨:ହଜିଯାଉଛି ଗାଁର ଚିହ୍ନବର୍ଣ୍ଣ । ଦିନକୁ ଦିନ ବଦଳୁଛି ଗାଁର ଚିତ୍ର ଓ ଚରିତ୍ର । କେଉଁ ଦିନରୁ ବଦଳିଗଲାଣି ତାର ରୂପ ସମ୍ଭାର । ଆଜି ଗାଁ ଆଉ ଗାଁ ଭଳି ଲାଗୁନାହିଁ । ସମସ୍ତେ ସହର ମୁହାଁ ହେଲେଣି । ଗାଁର ମଠ, ଭାଗବତ ଗାଦି , ସମୂହ ଜନ୍ତାଳ କୀର୍ତ୍ତନ ହଜିଗଲାଣି କେଉଁ ଦିନରୁ । ରାଜନୀତିର ପଶାପାଲିରେ ଗାଁର ଭାଇ ବନ୍ଧୁ କୁଟୁମ୍ବ ପାଲଟିଯାଇଛନ୍ତି ରାଗ , ହିଂସା ଓ ପରଶ୍ରୀକାତରତା ଭଳି ଘୃଣିତ ଗୁଣରେ ଶତ୍ରୁ । ଭାତୃଭାବ ହଜିଯାଉଛି ଧୀରେ ଧୀରେ । ହେଲେ କରୋନାର କାୟାରେ ସମସ୍ତେ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ ଗାଁ ଆଉ ଗ୍ରାମବାସୀଙ୍କ ପାଇଁ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାରେ ନିଜକୁ ସମର୍ପି ଦେଇଛନ୍ତି ଗୁରୁ ଭାଇ ।
ନିଜ ଗାଁ ମାଟିର ବାସ୍ନାକୁ ଆଜି ଭୁଲିପାରି ନାହାଁନ୍ତି । ସୁଦୂର ମୁମ୍ବାଇ ସହରରେ ପ୍ରାଚୁର୍ଯ୍ୟ ଭିତରେ ଭୁଲିଯାଇନାହାଁନ୍ତି ନିଜ ଗାଁକୁ । ଗାଁର ଉନ୍ନତି ଆଉ ଗ୍ରାମବାସୀଙ୍କୁ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି ରାଜକନିକା ବ୍ଲକ୍ ଡ଼ାଳିକାଏନ୍ଦା ଗ୍ରାମର ସମସ୍ତଙ୍କ ପ୍ରିୟ ଗୁରୁଭାଇ । ଏମିତିକି ବୟସର ତାରତମ୍ୟ ନାହିଁ । ଗାଁର ଆବାଳବୃଦ୍ଧ ବନିତାଙ୍କର ସେ ହେଉଛନ୍ତି ଗୁରୁ ଭାଇ । ଡ଼କ୍ଟର ହୟଗ୍ରୀବ ଗୁରୁ । ୫୮ ବର୍ଷରେ ପାଦଦେଇଥିବା ଗୁରୁ ଭାଇଙ୍କର ରହିଛି ସାମାଜିକ ଦାୟିତ୍ୱବୋଧ । କିଛି ହେଲେ ପାଇବାର ଆଶା ନାହିଁ । ହେଲେ ଗାଁର ସେବା ହିଁ ତାଙ୍କ ଜୀବନର ମୂଳମନ୍ତ୍ର । ପିତା ହରେକୃଷ୍ଣ ଗୁରୁ ଓ ମାତା ମନୋରମା ଗୁରୁଙ୍କର ବଡ଼ ପୁଅ । ବରିବ ପରିବାରେ ଜନ୍ମ । ହେଲେ ନିଜ ପ୍ରଚେଷ୍ଠାରୁ ଭାରତୀୟ ନୈସେନାରେ ୧୯୮୧ ମସିହାରେ ଯୋଗଦେଇ ଦେଶମାତୃକାର ସେବା ଆରମ୍ଭ କରିଥିଲେ । ୧୯୯୬ ମସିହାରେ ଚାକିରୀରୁ ଅବସର ଗ୍ରହଣ ପରେ ମୁମ୍ବାଇ ସହରରେ ପ୍ରତିଷ୍ଠିତ ଏକ ଘରୋଇ କମ୍ପାନୀର ପ୍ରତିଷ୍ଠାତା ହୋଇପାରିଛନ୍ତି । ତାଙ୍କର ଉଦ୍ୟମରେ ଆରମ୍ଭ ହୋଇଛି ଅନେକ ଯୋଜନା । ନିଜ ଉପାର୍ଜିତ ଧନରୁ ସେ ଗାଁ ପାଇଁ ଖର୍ଚ୍ଚ କରି ଚାଲିଛନ୍ତି । ଗାଁକୁ ଆସୁଛନ୍ତି । ଗାଁର ଭଲମନ୍ଦ କଥା ବୁଝୁଛନ୍ତି । ଗାଁ ଯୁବକମାନଙ୍କୁ ଏକାଠି କରୁଛନ୍ତି । ସମସ୍ତଙ୍କ ସମସ୍ୟାକୁ ସମାଧାନ ଦିଗରେ ଚେଷ୍ଠା କରୁଛନ୍ତି । ଚାଷୀମାନଙ୍କ ପାଇଁ ସମସ୍ୟା ରହିଥିବା କେନାଲର ପୁର୍ନଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗାଁର ରାସ୍ତା, ଘାଟ, ପୋଖରୀ ନାଳ ନର୍ଦ୍ଦମା ସଫେଇ କରିବା ସହିତ ବନ୍ୟା ବାତ୍ୟା ସମୟରେ ସମସ୍ତଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଗାଁରୁ ରାଜନୀତିକୁ ଦୂରେଇ ଦେଇଛନ୍ତି । ଗାଁ ଠାକୁରାଣୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି । ରାଜକନିକା ଅଞ୍ଚଳର ଗରିବ ପିଲାମାନଙ୍କୁ ଉଚ୍ଚତର ଶିକ୍ଷା ଗ୍ରହଣ କରିବା ପାଇଁ ବିଭିନ୍ନ ମେଧାବୀ ଗରିବ ମାନଙ୍କ ସମସ୍ତ ଖର୍ଚ୍ଚକୁ ସେ ବହନ କରି ଚାଲିଛନ୍ତି । ଗାଁର ଗରିବ ଲୋକମାନଙ୍କ ବାହାଘର, ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତର ସମସ୍ୟାରେ ଆର୍ଥିକ ସହଯୋଗର ହାତବଢ଼ାଇ ଚାଲିଛନ୍ତି । ଶୀତରେ ଗାଁର ବୟସ୍କ ଲୋକମାନଙ୍କୁ ଶୀତବସ୍ତ୍ର କମ୍ବଳ ଦେଉଛନ୍ତି । ଏହା ସହିତ ଗାଁର ଯୁବକ ମାନଙ୍କୁ କ୍ରୀଡ଼ା ପାଇଁ ମଧ୍ୟ ଆର୍ଥିକ ସହଯୋଗ କରିଚାଲିଛନ୍ତି । ଗାଁର ଯୁବକ ମାନଙ୍କୁ ନେଇ ବୃକ୍ଷ ରୋପଣ କରି ଗାଁରେ ସବୁଜ ବନାନୀ ସୃଷ୍ଟି କରିପାରିଛନ୍ତି । ଗାଁର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଏକ ବିଶାଳ ପ୍ରତିମୂର୍ତ୍ତିକୁ ଗାଁ ମୁଣ୍ଡରେ ସ୍ଥାପନା କରି ତାଙ୍କ ଆଦର୍ଶରେ ଚଳିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି । ନିଜ ଗାଁ ଡ଼ାଳିକାଏନ୍ଦକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ସେ ଚେଷ୍ଠା ଚଳାଇଛନ୍ତି । ଇଂରେଜ ଶାସନ ସମୟରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ବାଜ୍ୟାପ୍ତ ପୁସ୍ତକ ‘ଦୁଃଖିନୀ କନିକା’ସହିତ ତାଙ୍କର ସମସ୍ତ ଲେଖାକୁ ଏକ ଗ୍ରନ୍ଥାବଳୀ ପ୍ରକାଶ କରିଛନ୍ତି । । ଉତ୍କଳମଣି ବିଦ୍ୟାପୀଠରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ବସି ପିଲାମାନଙ୍କୁ ତାଙ୍କ ଆଦର୍ଶ ଏବଂ ଦରିଦ୍ରନାରାୟଣ ସେବା ହିଁ ପ୍ରକୃତ ଇଶ୍ୱରଙ୍କ ସେବା ବୋଲି କହୁଛନ୍ତି ଗୁରୁ ଭାଇ । ଗାଁର ଯୁବକମାନଙ୍କୁ ମନ୍ଦିରରେ ଶପଥ କରାଇ ନିଶା ଛାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି । ଗ୍ରାମ ଶଶ୍ମାନକୁ ଜବରଦଖଲରୁ ପୁନଉଦ୍ଧାର କରି ଏକ ଶବସତ୍କାର ଗୃହ ନିର୍ମାଣ କରିଛନ୍ତି । ଗୁରୁ ଭାଇଙ୍କୁ ଏଭଳି ସାମାଜିକ କାର୍ଯ୍ୟରେ ସହଯୋଗ କରିଚାଲିଛନ୍ତି ସ୍ତ୍ରୀ ମିନାକ୍ଷୀ ଗୁରୁ । ସବୁ ବେଳେ ପ୍ରେରଣାର ଉତ୍ସ ପାଲଟିଛନ୍ତି ମିନାକ୍ଷୀ । ଦୁଇ ଝିଅ ନିବେଦିତା, ଡ଼ାକ୍ତର ମହେଶ୍ୱତାଙ୍କୁ ବିବାହ କରାଇଦେଇଛନ୍ତି ଗୁରୁଭାଇ । ଏବେ ଏକମାତ୍ର ପୁଅ ନିର୍ଣ୍ଣୟଙ୍କ ସହ ଜୀବନ ଅତିବାହିତ କରୁଛନ୍ତି । ଗାଁ ମାଟିକୁ ସରଗ ଭୂଇଁରେ ପରିଣତ କରିବାକୁ ଉଦ୍ୟମ କରିଥିବା ଗୁରୁ ଭାଇଙ୍କୁ ରାଜ୍ୟ ଏବଂ ରାଜ୍ୟ ବାହାରେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ ପୁରସ୍କୃତ ମଧ୍ୟ କରାଯାଇଛି । ଆଜି ସବୁରି ମୁହଁରେ ଗୋଟିଏ କଥା ଗାଁ ପାଇଁ ଗୁରୁ ଭାଇ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!