54

ଭାରତୀୟଙ୍କ ବଳିଦାନରେ ‘ବାଂଲାଦେଶ’ ୫୦ ବର୍ଷରେ ପରାଜିତ ପାକିସ୍ଥାନର ଛବି

ପାକିସ୍ଥାନର ସେନା ଶାସନରେ ପୂର୍ବ ପାକିସ୍ଥାନର ଅଧିବାସୀଙ୍କ ଉପରେ ଚାଲିଥିଲା ଅକଥନୀୟ ଅତ୍ୟାଚାର । ବଙ୍ଗୀୟ ମହିଳାଙ୍କ ଉପରେ ବଢ଼ି ଚାଲିଥିଲା ବଳାତ୍କାର । ଘରେ ଘରେ ନିଆଁ ଲଗାଇ ଜୁଲମ କରିଥିଲେ ପାକିସ୍ଥାନୀ ସୈନିକ । ତ୍ରାହି ତ୍ରାହି ଡ଼ାକିଥିଲେ ପୂର୍ବ ପାକିସ୍ଥାନର ଅଧିବାସୀ । ଏଥିରୁ ମୁକୁଳିବାକୁ ଆରମ୍ଭ କରିଥିଲେ ଆନ୍ଦୋଳନ । ଯାହା ପୂର୍ବ ପାକିସ୍ଥାନରେ ଉଗ୍ରରୂପ ଧାରଣ କରିଥିଲା । ଯାହାର ରୂପରେଖ ନେଇଥିଲା ଭାରତ-ପାକିସ୍ଥାନର ୧୯୭୧ ମସିହାର ଘମାଘୋଟ୍ ଲଢ଼େଇ । ଭାରତୀୟ ଜବାନ, ଦେଶର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଚେଷ୍ଠା ଏବଂ ସହଯୋଗରେ ପଡ଼ୋଶୀ ପୂର୍ବ ପାକିସ୍ଥାନରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନର ବିଜୟ ଘଟିଥିଲା । ଶହଶହ ଭାରତୀୟ ସେନାଙ୍କ ବଳିଦାନରେ ଆଜି ଗଢ଼ି ଉଠିଛି ‘ବାଂଲାଦେଶ’ । ନୂଆ ଦେଶ । ନୂଆ ଶାସନ । ଏଥି ସହିତ ଶାନ୍ତିପ୍ରିୟ ଭାରତର ପଡ଼ୋଶୀଙ୍କ ପ୍ରତି ମନୋଭାବ, ସହଯୋଗ, ସାହାଯ୍ୟ ଆଉ ୧୦ ନିୟୁତ ବାଂଲା ଶରଣାର୍ଥୀଙ୍କୁ ନିଜ ଦେଶରେ ଆଶ୍ରୟ ଦେଇ ନିଜର ଭାତୃଭାବର ପରାକାଷ୍ଠା ପ୍ରଦର୍ଶନ, ସାରା ପୃଥିବୀରେ ଆଜିବି ଏକ ଉଦ୍‌ାହରଣ ସୃଷ୍ଟି କରିଛି । ଆଜି ପ୍ରତ୍ୟେକ ବାଂଲାଦେଶୀମାନେ ଭାରତୀୟଙ୍କୁ ସଲାମ କରୁଛନ୍ତି । ସୁନାର ବଂଗଳାର ସେହି ଐତିହାସିକ ବିଜୟ ଦିବସକୁ ପୁରୁଛି ୫୦ ବର୍ଷ । ୧୯୭୧ ମସିହା ଅକ୍ଟୋବର ୧୬ ତାରିଖ । ଯେଉଁ ଦିନ ପାକିସ୍ଥାନର ସୈନିକମାନେ ଭାରତୀୟ ବୀର ଜବାନଙ୍କ ନିକଟରେ ହାର ମାନିବାକୁ ବାଧ୍ୟ ହୋଇଥିଲେ । ଆତ୍ମ ସମର୍ପଣ କରିଥିଲେ ପାକିସ୍ଥାନର ସୈନିକ । ଆଉ ସେହିଦିନ ଠାରୁ ପୃଥିବୀ ମାନଚିତ୍ରରେ ସ୍ଥାନ ପାଇଥିଲା ଆଜିର “ବାଂଲାଦେଶ” । ଭାରତୀୟ ବୀର ଜବାନଙ୍କ ଠାରୁ ୧୯୭୧ ଯୁଦ୍ଧରେ ପରାଜିତ ହୋଇଥିବା ପାକିସ୍ଥାନର ପରାଜିତ ଛବି ସଂପର୍କରେ  ଶୁଭ୍ରାଂଶୁ ସୂତାରଙ୍କ ସ୍ୱତନ୍ତ୍ର ଆଲେଖ୍ୟ:
କାହିଁକି ଦେଖାଦେଲା ପୂର୍ବ ପାକିସ୍ଥାନର ସ୍ୱାଧୀନତା ଆନ୍ଦୋଳନ:
୧୯୫୨, ୨୧ ତାରିଖରେ ଢ଼ାକା ବିଶ୍ୱ ବିଦ୍ୟାଳୟରେ ୬ ଜଣ ବିକ୍ଷୋଭକାରୀଙ୍କର ପୁଲିସ ଗୁଳିରେ ମୃତ୍ୟୁ ଘଟିଥିଲା । ଏଇଠୁ ଆରମ୍ଭ ହୋଇଥିଲା ଆନ୍ଦୋଳନର ରୂପରେଖ । ତାପରେ ୧୯୭୦ ଡ଼ିସେମ୍ବର ୭ରେ ରେ ପାକିସ୍ଥାନରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ଲୋକମାନେ ଆୱାମି ଲିଗ୍ ଏବଂ ଏହାର ନେତା ଶେଖ୍ ମୁଜିବୁର ରହମାନଙ୍କୁ ବିପୁଳ ଭୋଟ୍ ଦେଇଥିଲେ । ଯେଉଁମାନେକି ବଙ୍ଗୀୟମାନଙ୍କ ପାଇଁ ସ୍ୱାଧୀନତାରଆନ୍ଦୋଳରର ନେତୃତ୍ୱ ନେଉଥିଲେ । ‘ପଶ୍ଛିମ ପାକିସ୍ଥାନୀ’ର ପ୍ରଧାନମନ୍ତ୍ରୀ ଜୁଲିଫିକର ଅଲି ଭୁଟୋ ଶେଖ୍‌ଙ୍କ ବିପୁଳ ବିଜୟରେ ଭୟଭୀତ ହୋଇ ସେନା ସାହାଯ୍ୟରେ ଢ଼ାକାରେ ଦମନଲୀଳା ଚଳାଇଲେ । ବିପୁଳ ବିଜୟ ସତ୍ୱେ ଶେଖ୍ ମୁଜିବୁର ରହମାନଙ୍କୁ କ୍ଷମତା ହସ୍ତାନ୍ତର କରିନଥିଲେ । ଫଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଶେଖ ମୁଜିବୁର ରହମାନ ପୂର୍ବ ପାକିସ୍ଥାନରେ ସ୍ୱାଧୀନତା ଘୋଷଣା କଲେ । ଏହା ପରେ ସେ ରାଷ୍ଟ୍ରପତି ୟାହିୟା ଖାନ୍ ତାଙ୍କର ସାମରିକ କମାଣ୍ଡୋ ମାନେ ମୁଜିବୁରଙ୍କୁ ଗିରଫ କଲେ । ଏହା ସହିତ ସାଧାରଣ ନାଗରିକ ମାନଙ୍କ ୁପରେ ପ୍ରବଳ ଅତ୍ୟାଚାର ଚଳାଇଲେ । ସାମରିକ କମାଣ୍ଡୋ ମାନେ ହଜାର ହଜାର ଲୋକମାନଙ୍କୁ ହତ୍ୟା କଲେ । ଭୁଟୋ ସରକାର ଜେନେରାଲ ଟିକାଙ୍କୁ ପୂର୍ବ ପାକିସ୍ଥାନରେ ଅତ୍ୟାଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତ୍ୟାଚାର ସହି ନପାରି ପୂର୍ବ ପାକିସ୍ଥାନର ଅଧିବାସୀମାନେ ଭାରତକୁ ପଳାଇ ଆସିଲେ । ଫଳରେ ଶରଣାର୍ଥୀ ଭାବେ ଭାରତରେ ଆଶ୍ରୟ ନେଇଥିଲେ ପୂର୍ବ ପାକିସ୍ଥାନର ଲୋକମାନେ । ଏହି ଘଟଣାକୁ ନେଇ ଭାରତ ପାକିସ୍ଥାନ ସରକାରଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ଅନୁରୋଧ କରିଥିଲେ । ହେଲେ ପାକିସ୍ଥାନ ସରକାର ଭାରତର ଅନୁରୋଧକୁ ପ୍ରତ୍ୟାଖାନ୍ କରିଥିଲେ । ଶରଣାର୍ଥୀ ମାନଙ୍କ ପାଇଁ ଭାରତ ଏକ ପ୍ରକାର ସମସ୍ୟାରେ ପଡ଼ିଲେ । ବାଧ୍ୟ ହୋଇ ଭରତ ସରକାର ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦୃଢ଼ ଭାବେ ପୂର୍ବ ପାକିସ୍ଥାନ ସପକ୍ଷରେ ବାହାରିଲେ । ୩ ଡ଼ିସେମ୍ବର ୧୯୭୧ ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଥିଲା । ଘମାଘୋଟ ଲଢ଼େଇରେ ଭାରତୀୟ ସୈନିକଙ୍କ ବୀରତ୍ୱ ଆଗରେ ପରାଜିତ ହୋଇଥିଲେ ପାକିସ୍ଥାନୀ ସୈନିକ । ବିଜୟୀ ହୋଇଥିଲା ପୂର୍ବ ପାକିସ୍ଥାନ ଆଉ ଗଢ଼ି ଉଠିଲା ବାଂଲାଦେଶ ।

ସେଦିନ ଥିଲା ଡ଼ିସେମ୍ବର ୧୬ ତାରିଖ ।
ଆସାମ ଲେଲାପୁର ଠାରେ ବାଟାଲିୟନର ସୈନିକ ବିଶ୍ରାମ ସ୍ଥଳରେ ଆମେ ଥାଉ । ହଠାତ୍ ନିର୍ଦ୍ଦେଶ ଆସିଲା ଆମେ ତ୍ରିପୁରା ଷ୍ଟେନର ଅଗରତାଲାକୁ ଗଲୁ । ପୁରା ବାଟାଳିୟନ ଚାଲିଲେ । ସେଠାରେ ପ୍ରାୟ ଦେଢ଼ମାସ ଅକ୍ଲାନ୍ତ ପରିଶ୍ରମ କରି ଯୁଦ୍ଧ ବିଦ୍ୟା ଶିଖିଲୁ । ତାପରେ ଆମେ ଡ଼ିସେମ୍ବର ମାସ ୧ ତାରିଖରୁ ଭାରତରୁ ପୂର୍ବ ପାକିସ୍ଥାନର ସୀମା ଅତିକ୍ରମ କଲୁ । ୩ ତାରିଖ ରାତିରେ ଗଙ୍ଗା ସାଗର ବୋଲି ପାକିସ୍ଥାନର ଡ଼ିଫେନ୍ସ କ୍ୟାମ୍ପ ଉପରେ ଆକ୍ରମଣ କଲୁ । ପାକିସ୍ଥାନ ସେନାଙ୍କ ଗୁଳି ଏବଂ ଲଗାତାର ବମ୍ ବର୍ଷଣରେ ଆମର ପ୍ରାୟ ୧୨ ଜଣ ସୈନିକ ସହୀଦ୍ ହେଲେ ୨୦ ଜଣ ଆହତ ହେଲେ । ତାପରେ ଆଲ୍‌ବଟ୍ ଇକା ନାମକ ଜଣେ ଆଦିବାସୀ ସୈନିକ ଆହତ ହେବା ପରେ ମଧ୍ୟ ଶତ୍ରୁର ବଙ୍କର ଭିତରେ ପ୍ରବେଶ କରି ମେସିନ ଗନ୍‌କୁ ବନ୍ଦ କରିବାରେ ସଫଳ ହୋଇଥିଲେ । ଫଳରେ ଆମେ ସେହି ଠାରୁ ପୁଣି ଅନ୍ୟ ଏକ ଘାଟି ଆଖରା ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ହେଲେ ପାକିସ୍ଥାନ ଶତ୍ରୁଙ୍କ ଗୁଳିରେ ଘଟଣାସ୍ଥଳରେ ସହିଦ୍ ହେଲେ ଆଲବଟ୍ ଇକା । ଅଖରାରେ ମଧ୍ୟ ଆମେ ଶତ୍ରୁଙ୍କ ସହିତ ଯୁଦ୍ଧ ହେଲା । ତାପରେ ମଧ୍ୟ ଆମର ଯାତ୍ରା ବାଡ଼ି ବ୍ରହ୍ମନାରେ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ସେଠାରେ ଆତ୍ର ଅଳ୍ପ କେତେ ଜଣ ପାକିସ୍ଥାନ ସୈନ୍ୟକୁ ଆମେ ସାମ୍ନା କରିବାକୁ ପଡ଼ିଲା । ସେଠାରେ ଆମେ ଯୁଦ୍ଧ କ୍ଷେତ୍ର ଟୁଙ୍ଗୀ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ଭୋର ୪ଟାରେ ଆମେ ପଂହଚିଲୁ । ସେଠାରେ ଗୁଳି ବର୍ଷଣ କରି ଶତ୍ରୁ ମାନଙ୍କୁ ନିପାତ କଲୁ । ଦେଖିଲୁ । ଖାଲି ପଡ଼ିଛି ବଙ୍କର । ସେଦିନ ଥିଲା ଡିସେମ୍ବର ମାସ ୧୬ ତାରିଖ । ମାତ୍ର ସେଠାରୁ ୫ କିଲୋମିଟର ଦୂର ରହିଥାଏ ଢ଼ାକା । ୧୬ ଦିନର ଯାତ୍ରା ପରେ ଆମେ ପଂଚିଲୁ ଢ଼ାକାରେ । ତା’ପରଦିନ ଚିଫ୍ ଅଫ୍ ଆର୍ମି ଷ୍ଠାପ୍ ଏଫ୍‌ଜେଏସ୍‌ଏଚ୍ ମାନିକସା ପଂହଚିଲେ ଆମ ପାଖରେ । ଆମକୁ ସେ ଉତ୍ସାହିତ କଲେ । ଆମେ ଚାଲି ଚାଲି ୧୬ଦିନ ଯୁଦ୍ଧ କରି କରି ଆସିଥିବାରୁ ଆମକୁ ସାବାସୀ ଦେଲେ । ତାର ଦୁଇ ଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେଠାରେ ପହଂଚି ସୈନିକ ମାନଙ୍କ ମନୋବଳ ବଢ଼ାଇଥିଲେ । ତାପରେ ସେକ୍ ମୁଜିବୁର ରହମନ ତାଙ୍କ ପରିବାର ଢ଼ାକାରେ ନଜର ବନ୍ଦୀ ରହିଥିଲେ । ତାଙ୍କୁ ଉଦ୍ଧାର ୍‌କରିବା ପାଇଁ ଆମର କମାଣ୍ଡର ମେଜର ଅଶୋକ କୁମାର ତାରାଙ୍କୁ ଦାୟିତ୍ୱ ଦେଇଥିଲେ । ଆମେ ତାଙ୍କ ନିର୍ଦ୍ଦେଶରେ ଯାଇ ସେକ୍‌ଙ୍କ ପରିବାରଙ୍କୁ ଉଦ୍ଧାର କରିଥିଲୁ । ୧୯୭୨ ମସିହା ଫେବୃୟାରୀ ମାସରେ ଆମେ ଢ଼ାକାରୁ ଭାରତକୁ ଫେରିଲୁ । ସେଦିର କଥାକୁ ଆଜି ମନେ ପକାଇ ସଜଳ ଆଖିରେ ସ୍ମୃତି ରୋମନ୍ଥନ କରନ୍ତି ଆଉ ରୋମାଚିଂତ ହୋଇପଡ଼ନ୍ତି ସେହି ଯୁଦ୍ଧର ବୀର ଓଡ଼ିଆ ସୈନିକ ଦୁର୍ଯ୍ୟୋଧନ ମହାନ୍ତି । ଜୀବନର ଅପରାହ୍ଣରେ ପହଂଚିଥିବା ଦୁର୍ଯ୍ୟୋଧନ ସେହି ଯୁଦ୍ଧର ବିଭୀଷିକାରେ ସହିଦ୍ ହୋଇଥିବା ଓଡ଼ିଶାର ସାଥୀ ସୈନିକ କାଶୀନାଥ ସାହୁ କହିଲା ବେଳେ ଟିକିଏ ଭାବ ବିହ୍ୱଳ ହୋଇପଡ଼ିଲେ । ଟିକିଏ ରହିବା ପରେ ସେ କହିଲେ ତାଙ୍କ ଘର ବ୍ରହ୍ମପୁର । ଆମ ସାମ୍ନାରେ ପାକିସ୍ଥାନ ସୈନ୍ୟ ଗୁଳିରେ ସେଠାରେ ସେ ଟଳିପଡ଼ିଥିଲେ । ଏବେବି ସେଦିର ଲୋମ ଟାଙ୍କୁରା ଦୃଶ୍ୟକୁ ମୁଁ ଭୁଲିପାରୁ ନାହିଁ । ଗୁଳି ଚାଲୁଥିଲା । ଉଭୟ ପାଶ୍ୱରୁ ମୋ ଡ଼ାହାଡ ପଟରେ ଥିଲେ କାଶୀ । ଆମେ ଆଗକୁ ଆଗକୁ ମାଡ଼ି ଚାଲିଲୁ । ଏଠାତ୍ ଏକ ଗୁଳି ତାଙ୍କ ଦେହରେ ବାଜିଲା । ସେଠାରେ ଟଳି ପଡ଼ିଲେ ସେ । ତାଙ୍କ ବ୍ୟତିତ ଅନେକ ୧୨ ଜଣ ଆମ ରେଜିମେଂଟରେ ସହିଦ୍ ହୋଇଥିଲେ । ୨୦ରୁ ଅଧିକ ସାଥୀ ଆହତ ହୋଇଥିଲେ । ହେଲେ ଯେତେ ବେଳେ ଆମେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲୁ ସେତେବେଳେ କେବଳ ଭାରତ ମାତାର ବିଜୟ କଥା ଭାବୁ ଥାଉ । ମରିବୁ ପଛେ ପଛ ଘୁଂଚା ଦେବୁ ନାହିଁ । ସେତେବେଳେ ନାଁ ଘର କଥା ସ୍ତ୍ରୀ ପିଲା ଛୁଆଙ୍କ କଥା ମନେ ପଡ଼ୁନଥିଲା । କେବଳ ବନ୍ଧୁକ ଆଉ ଶତ୍ରୁ ସୈନ୍ୟଙ୍କୁ ନିପାତ୍ କରିବା ଏକ ମାତ୍ର ଲକ୍ଷ୍ୟ ରହିଥିଲା । ହେଲେ ଯେତେ ବେଳେ ଆମେ ବିଜୟୀ ହେଲୁ, ସେଦିନର ଖୁସି ଜୀବନରେ ଅଭୁଲା ହୋଇ ରହିଛି । ଡ଼ିସେମ୍ବର ୧୬ ଆସିଲେ ଭାରତ ମା’ ପାଇଁ ବର୍ଗ ଅନୁଭବ କରେ । ଭାରତ ମା’କୁ ପ୍ରଣାମ କରେ । ଭାରତୀୟ ସୈନିକଙ୍କୁ ସଲାମ କରୁଛି ।

୭୧ ବର୍ଷରେ ଆମ ସୈନିକ ଦୁର୍ଯ୍ୟୋଧନ ।
ରାଜକନିକା ବ୍ଲକ୍ ବରୁଣାଡ଼ିଆ ଗ୍ରାମର ଯଦୁନାଥ ମହାନ୍ତି ଏବଂ ମାତା ରାଜନ ଦେବୀଙ୍କ ସାନ ପୁଅ ଦୁର୍ଯ୍ୟୋଧନ ମହାନ୍ତି । ୨୦୦୩ରେ ସୈନ୍ୟବାହିନୀରୁ ଅବସର ପରେ ଏବେ ଗାଁରେ ରହୁଛନ୍ତି । ୭୧ ବର୍ଷରେ କର୍ମଚଂଚଳ ଅଛନ୍ତି । ଘରେ ସ୍ତ୍ରୀ ଦମୟନ୍ତୀ, ନାତି ନାତୁଣୀ, ପୁଅ ବୋହୁଙ୍କୁ ନେଇ ତାଙ୍କ ସଂସାର । ଦୁଇ ପୁଅ, ଗୋଟିଏ ଝିଅ । ବଡ଼ ପୁଅ ଅମିତ୍ ଏବେ ଜଣେ ସୈନିକ । ଆଉ ସାନ ପୁଅ ପୁଲିସ ସିପାହୀ । ଝିଅକୁ ବିବାହ କରାଇଦେଇଛନ୍ତି । ବରୁଣାଡ଼ିଆ ଗ୍ରାମ ପଂଚାୟତରେ ସରପଂଚ ଭାବେ ଗତ ପାଂଚ ବର୍ଷ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି । ପୁଣି ଏବେ ଖରସ୍ରୋତା ବଂଚାଓ ଆନ୍ଦୋଳନର ସଭାପତି ଅଛନ୍ତି । ପାଣି ପାଇଁ ଆଉ ଖରସ୍ରୋତା ପାଇଁ ଆନ୍ଦୋଳନ ଚଳାଇଛନ୍ତି ।

ଇନ୍ଦିରା ଗାନ୍ଧୀଙ୍କୁ ସଲାମ କରନ୍ତି ବାଂଲାଦେଶୀ
ପ୍ରତ୍ୟେକ ବାଂଲାଦେଶୀଙ୍କ ହୃଦୟରେ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ସବୁ ବେଳେ ବଂଚି ରହିଛନ୍ତି । ଆଉ ବାଂଲାଦେଶୀମାନେ ଆଜିବି ଇନ୍ଦିରାଙ୍କୁ ସଲାମ କରୁଛନ୍ତି । ସ୍ୱର୍ଗତ ଗାନ୍ଧୀଙ୍କ ଅବଦାନ ଏବଂ ସହଯୋଗକୁ ଭୁଲିପାରୁ ନାହାଁନ୍ତି । ଏହି କାରଣରୁ ବଂଲାଦେଶର ସର୍ବୋଚ୍ଚ ସମ୍ମାନ ‘ବାଂଲାଦେଶର ସ୍ୱାଧୀନତା ସମ୍ମାନ’ ସ୍ୱର୍ଗତ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଛି । ସ୍ୱର୍ଗତ ଗାନ୍ଧୀଙ୍କ ଅବର୍ତ୍ତମାନରେ ଢ଼ାକାର ବଙ୍ଗଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଜିଲୁର ରହମାନ ସ୍ୱର୍ଗତ ଗାନ୍ଧୀଙ୍କ ବୋହୁ ସୋନିଆ ଗାନ୍ଧୀଙ୍କୁ ଏହି ସମ୍ମାନ ପ୍ରଦାନ କରି ତାଙ୍କ ପ୍ରତି ବାଂଲାଦେଶର ଭଲ ପାଇବାର ନିଦର୍ଶନ ପ୍ରଦର୍ଶନ କରିଛନ୍ତି ।

ଆଜି ମନେ ପଡ଼ନ୍ତି ବୀର ସହିଦ୍ ଆଲବଟ୍ ଇକା
ଭାରତ-ପାକିସ୍ଥାନ ଯୁଦ୍ଧରେ ବୀରତ୍ୱର ସହିତ ଶତ୍ରୁର ବଙ୍କରକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ ଲାଏନ୍ସ ନାୟକ ଆଲବର୍ଟ ଇକା । ୧୯୭୧ ମସିହା ଡ଼ିସେମ୍ବର ମାସ ୩ ତାରିଖରେ ସାଗର ଆଇଲାଣ୍ଡରେ ଯୁଦ୍ଧକ୍ଷେତ୍ରରେ ପ୍ରାଣବଳି ଦେଇଥିଲେ ଆଲବର୍ଟ । ମାତ୍ର ୨୯ ବର୍ଷରେ ସେ ସହିଦ୍ ହୋଇଥିଲେ । ତାଙ୍କ ବୀରତ୍ୱ ପାଇଁ ଭାରତ ସରକାର ତାଙ୍କୁ ମରୋଣତ୍ତର ଭାବେ ପରମ ବୀର ଚକ୍ରରେ ସମ୍ମାନିତ କରିଛନ୍ତି । ସେ ଆଜି ନାହାଁନ୍ତି ସତ । ହେଲେ ସୈନିକ ମାନଙ୍କୁ ଅବସର ସମୟରେ ଆଲବର୍ଟଙ୍କ ଏକ ପ୍ରତିମୂର୍ତ୍ତିକୁ ପ୍ରଦାନ କରି ତାଙ୍କ ବୀରତ୍ୱ ଗାଥାକୁ ମନେ ପକାନ୍ତି ଭାରତୀୟ ସୈନ୍ୟବିଭାଗ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!