70

ଅପହଞ୍ଚ ଇଲାକାର ସାଥୀ ପୁଷ୍ପାରାଣୀ

ମାଲକାନଗିରି, ୧୮/୧୨(ଶ୍ରୀନିବାସ ପଣ୍ଡା) – ମାଲକାନଗିରି ଜିଲ୍ଲା ସଦର ବ୍ଲକର ଚାଲାଣ ଗୁଡା ପଞ୍ଚାୟତ। ସତର ଗୋଟି ୱାର୍ଡ ଏବଂ ଦୁଇ ହଜାର ଏଗାର ଜନଗଣନା ଅନୁଯାୟୀ ଆଠ ହଜାର ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାର ସବୁଠାରୁ ବଡ ପଞ୍ଚାୟତ ଭାବରେ ପରି ଗଣିତ। ସୀମାନ୍ତରେ ଚିରସ୍ରୋତା ନଦୀ ସାବେରୀ ଛତିଶଗଡ଼ ଏବଂ ଓଡ଼ିଶାର ସୀମା ନିର୍ଦ୍ଧାରଣ କରେ। ସମତଳ ଜମି ଏବଂ ଜଳସେଚନର ଅଭାବ ହେତୁ ଲାଭକାରୀ ଫସଲ ଉତ୍ପାଦନ ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ।
ଦୀର୍ଘବର୍ଷ ପରେ ଅଞ୍ଚଳବାସୀଙ୍କ ମୌଳିକ ଅଧିକାର ଏବଂ ସୁବିଧା ସୁଯୋଗ ମିଳିବାର ମୁଖ୍ୟ ପୁରୋଧା ସାଜିଛନ୍ତି ପୁଷ୍ପାରାଣୀ ପଡ଼ିଆମୀ। ସମ୍ପୂର୍ଣ ପଛୁଆ ବର୍ଗ କୋୟା ଜନଜାତି ପରିବାରରେ ଜନ୍ମହେଇ ମଧ୍ୟ ନାନାଦି ପ୍ରତିକୂଳ ପରିସ୍ଥିତିର ସାମ୍ନାକରି ଜଣେ ଉଚ୍ଚ ଶିକ୍ଷିତା। ନିଜେ ଏବଂ ତାଙ୍କର ସ୍ୱାମୀ ଇର୍ମା ମାଡକାମୀ ଉଭୟେ ଗ୍ରାଜୁଏଟ ହେଇଥିବାରୁ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଉପରେ ସ୍ୱାନଦୃଷ୍ଟି ଦେବାକୁ କେବେ ହେଳା କରିନଥାନ୍ତି। ପୁଷ୍ପାରାଣୀଙ୍କର ଶିକ୍ଷା ସମାପ୍ତି ପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୁଏ ସନ ଦୁଇ ହଜାର ମସିହାରେ ପଡିଆ ବ୍ଲକର ଚେୟାରମ୍ୟାନ ଭାବରେ। ରାଜନୈତିକ ଜୀବନ ଆରମ୍ଭରୁ ସଂକୀର୍ଣ୍ଣତାର ଉର୍ଦ୍ଧକୁ ଯାଇ ଜଣେ ପରିପକ୍ୱ ନେତ୍ରୀ ଭାବରେ ଜନ ମାନସରେ ଆଦୃତ ହେଇପାରିବାରୁ, ପରବର୍ତ୍ତୀ ଅବସ୍ଥାରେ ପଡ଼ିଆର ଜନସାଧାରଣ ତାଙ୍କୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିପୁଳ ଭୋଟରେ ବିଜୟୀ କରିବା ଦ୍ୱାରା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ପଦ ହାସଲ କରିଥିଲେ।
ସେ ସମୟର ସାବେରୀ ନଦୀର ବନ୍ୟା ବିଭୀଷିକା ମନେ ପଡିଲେ ଆଜି ମଧ୍ୟ ପଡିଆବାସୀଙ୍କ ମନରେ ସୃଷ୍ଟି ହୁଏ ଭୟର ବାତାବରଣ । ଅନେକ ଘର ଭାସିଯିବା ଦ୍ୱାରା ନିହାତି ଗରିବ ଆଦିବାସୀ ପରିବାର ସେତେବେଳେ ନିଃସହାୟ ହେଇଥିବା ବେଳେ ପୁଷ୍ପାରାଣୀ ପଡ଼ିଆମୀ ଜଣେ ଦରଦୀ ମଣିଷ ଭାବେ ସେମାନଙ୍କ ପାଖରେ ଛିଡା ହୋଇ ପୁନର୍ବସତି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜୋରଦାର ଦାବି କରିଥିଲେ।ଫଳସ୍ୱରୂପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୟଂ ପଡିଆ ଆସି ବନ୍ୟା ପ୍ରପୀଡ଼ିତ ପରିବାରର ପୁନର୍ବାସ ସହିତ ଆର୍ଥିକ ସାହାଯ୍ୟ ପର୍ଯ୍ୟାପ୍ତ ପରିମାଣରେ ମଞ୍ଜୁର କରିଥିଲେ। ଦୀର୍ଘବର୍ଷର ଅଭିଜ୍ଞତା ଦୃଷ୍ଟିରୁ ପୁଷ୍ପାରାଣୀ ଆଜି ଚାଲାଣ ଗୁଡା ପଞ୍ଚାୟତର ସର୍ବନିମ୍ନ ମୌଳିକ ସୁବିଧା ଲୋକମାନଙ୍କୁ ଯୋଗାଇ ଦେବାର ସମର୍ଥ ହେଇ ପାରିଛନ୍ତି। ପଞ୍ଚାୟତର ସମସ୍ତ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ସହିତ ଉଜ୍ଜ୍ୱଳ ଆଲୋକ ଏବଂ ପାନୀୟଜଳ ବ୍ୟବସ୍ଥା ହେଇ ପାରିଥିବାରୁ ପଞ୍ଚାୟତର ଅଧିବାସୀ ଦଳମତ ନିର୍ବିଶେଷରେ ସରପଞ୍ଚ ପୁଷ୍ପାରାଣୀଙ୍କୁ ସବୁରି କ୍ଷେତ୍ରରେ ସହଯୋଗ କରିଥାନ୍ତି। ଗତ କରୋନା ସମୟରେ ସ୍କୁଲ ବନ୍ଦ ହେବାପରେ ସ୍ୱାମୀ ଇର୍ମାଙ୍କ ସହିତ ମିଶି ପିଲା ମାନଙ୍କୁ ପାଠ ପଢେଇବା ସେମାନଙ୍କର ଥିଲା ପ୍ରମୁଖ କାମ।
ଗତବର୍ଷ ଚାଲାଣ ଗୁଡାରେ ଥିବା ଧାନମଣ୍ଡି ନାନାଦି ବିବାଦ ମଧ୍ୟଦେଇ ଗତିକରିଛି। ଦୁର୍ନୀତିଗ୍ରସ୍ତ ଯୋଗାଣ ବିଭାଗର ଅଧିକାରୀଙ୍କ ପାଇଁ ଚାଷୀମାନେ ଶୋଷଣର ଶିକାର ହେବା ଯୋଗୁ ପୁଷ୍ପାରାଣୀ ଏବର୍ଷ ଗୋଟିଏ ରାଜଲଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିଛନ୍ତି। ଉଦ୍ଦେଶ୍ୟ ହେଉଛି ଚାଷୀ ମାନଙ୍କୁ ସଚେତନ କରିବା, ଫଳରେ ନିରୀହ ଚାଷୀ ମଣ୍ଡିରେ ଦଲାଲ ମାନଙ୍କ କବଳରୁ ମୁକ୍ତହେଇ ନିଜର ହକ ମୁତାବକ ସରକାରୀ ନିର୍ଦ୍ଧାରିତ ମୂଲ୍ୟ ହାସଲ କରିପାରିବ। ସେତିକିରେ ରହି ଯାଇନାହାନ୍ତି, ଏବେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ନିଜର ପରିବାରର ବୋଝ ସହିତ ସମାଜସେବା କଷ୍ଟକର ହେଲେ ମଧ୍ୟ ସେ କେବେ ପଛକୁ ଚାହିଁ ନାହାଁନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!