15

ଚାଷୀ ଆନ୍ଦୋଳନ: କମିଟିର ୪ ସଦସ୍ୟ କୃଷି ଆଇନ ସମର୍ଥକ

ନୂଆଦିଲ୍ଲୀ,୧୩/ ୦୧: ନୂଆ କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ସହ ଏକ କମିଟି ଗଠନ କରିଛନ୍ତି । ୪ କୃଷି ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠିତ ହୋଇଛି । ଏସବୁ ପରେ ମଧ୍ୟ ଚାଷୀମାନଙ୍କ କ୍ଷୋଭ କମି ପାରିନି । କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଯାଏ ସେମାନେ ହଟିବେ ନାହିଁ ବୋଲି କହିଛନ୍ତି । କମିଟିର ୪ ସଦସ୍ୟ ଅଶୋକ ଗୁଲାଟି, ଡା. ପ୍ରମୋଦ ଜୋସୀ, ଭୂପିନ୍ଦର ସିଂହ ଏବଂ ଅନିଲ ଘନବଟ ନୂଆ କୃଷି ଆଇନର ସମର୍ଥକ ବୋଲି ଜଣାପଡ଼ିଛି । ଏମାନେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କୃଷି ଆଇନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏଣୁ ସୁପ୍ରିମକୋର୍ଟ ଗଠନ କରିଥିବା ଏହି କମିଟି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆଇନ ଲାଗୁ କରିବାକୁ ପ୍ରୟାସ କରିବ ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ଭାରତୀୟ କୃଷକ ୟୁନିୟନ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି, ଯେଉଁମାନେ ଏହି ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ସେମାନଙ୍କୁ ସମାଧାନ ଦାୟିତ୍ୱ ମିଳିଛି । ଏଥିରୁ କମିଟିର ରିପୋର୍ଟ କଣ ହେବ ସ୍ପଷ୍ଟ ହୋଇସାରିଛି । କଂଗ୍ରେସ ମଧ୍ୟ ଏହି କମିଟିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । କମିଟିର ସଦସ୍ୟ ଅଶୋକ ଗୁଲାଟି ଜଣେ ଅଗ୍ରିକଲ୍‌ଚର ଇକୋନୋମିଷ୍ଟ । ବର୍ତ୍ତମାନ ସେ ଆଇସିଆର୍‌ଆଇଆର୍‌ରେ ପ୍ରଫେସର ଅଛନ୍ତି । ସେ ନୀତି ଆୟୋଗର ଅଗ୍ରିକଲ୍‌ଚର ଟ୍ୟାକ୍ସ ଫୋର୍ସର ମଧ୍ୟ ସଦସ୍ୟ ଅଛନ୍ତି । ଗତ ବର୍ଷ ଡିସେମ୍ବରରେ ଏକ ଲେଖାସ୍ତମ୍ଭରେ ସେ କହିଥିଲେ, ଏହି ଆଇନ କୃଷକଙ୍କୁ ଅଧିକ ବିକଳ୍ପ ଏବଂ ସ୍ୱାଧୀନତା ଦେବ । ଏଣୁ ଏହା ନିଶ୍ଚିତ ରୂପେ କୃଷକଙ୍କ ପାଇଁ ହିତକର । କମିଟିର ଅନ୍ୟତମ ସଦସ୍ୟ ଡା. ପ୍ରମୋଦ ଜୋସୀ ମଧ୍ୟ ଜଣେ ଅଗ୍ରିକଲ୍‌ଚର୍‌ ଇକୋନୋମିଷ୍ଟ । ସେ ଏସିଆ ଇଣ୍ଟରନ୍ୟାସନାଲ ଫୁଡ ପଲିସୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ୨୦୧୭ରେ ଏକ ଜାତୀୟ ଗଣମାଧ୍ୟମରେ ସେ କହିଥିଲେ, ଏହି ଆଇନ ଦ୍ୱାରା ଫସଲ ଦାମ କମ୍‌-ବେଶୀ ହେଲେ ମଧ୍ୟ ଏହାର ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବନି । ଫଳରେ ଚାଷୀମାନଙ୍କର କୌଣସି ସ୍ଥିତିରେ ମଧ୍ୟ ଲାଭ ସୁନିଶ୍ଚିତ । କମିଟିର ଅନ୍ୟତମ ସଦସ୍ୟ ଅଖିଳ ଭାରତୀୟ କୃଷକ ସମନ୍ୱୟ ସମିତିର ମୁଖ୍ୟ ସରଦାର ଭୂପିନ୍ଦର ସିଂହ ଜଣେ ଖ୍ୟାତନାମା କୃଷି ନେତା ଭାବେ ପରିଚିତ । ଗତବର୍ଷ ଡିସେମ୍ବର ୧୪ରେ ସେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଏକ ପତ୍ର ଲେଖି ସର୍ତ୍ତମୂଳକ ଭାବେ ଆଇନକୁ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ଭୂପିନ୍ଦର ସ୍ୱାଗତ କରିଥିଲେ । ସେହିଭଳି କମିଟିର ଚତୁର୍ଥ ସଦସ୍ୟ ଅନିଲ ଘନବଟ ମହାରାଷ୍ଟ୍ରର କୃଷକ ସଂଗଠନ ଶେତକାରୀର ନେତୃତ୍ୱ ନେଉଛନ୍ତି । ଅନିଲଙ୍କ ମୁତାବକ ନୂଆ କୃଷି ଆଇନ ଦ୍ୱାରା କୋଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ନିବେଶ ବଢ଼ିବ । ଯଦି ଚାଷୀମାନଙ୍କ ଚାପରେ ଏହି ଆଇନ ପ୍ରତ୍ୟାହାର ହୁଏ ତେବେ କୃଷକଙ୍କ ପାଇଁ ମୁକ୍ତ ବଜାର ରାସ୍ତା ବନ୍ଦ ହୋଇଯିବ । ଏହା ବ୍ୟତୀତ ସେ ଚାଷୀ ଆନ୍ଦୋଳନକୁ ରାଜନୀତି ବୋଲି କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!