48

ରାଜକନିକା ବସ୍‌ଷ୍ଟାଣ୍ଡ ପାଇଁ ଜମି ଦେଖିବାକୁ ଆସୁ ନାହାଁନ୍ତି ଓଏସ୍‌ଆର୍‌ଟିସି ଅଧିକାରୀ

ତିନି ଥର ଚିଠି ଲେଖି ଥକିଗଲେଣି ତହସିଲଦାର

ରାଜକନିକା,୧୩/୧:ରାଜକନିକା ବ୍ଲକ ଠାରେ ପ୍ରସ୍ତାବିତ ରାଜକନିକା ବସ୍‌ଷ୍ଟାଣ୍ଡ ପାଇଁ ଓଏସ୍‌ଆର୍‌ଟିସି ଅଧିକାରୀ ଜମି ଦେଖିବାକୁ ଆସୁନଥିବାର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରିଛନ୍ତି ଖୋଦ୍ କନିକା ତହସିଲଦାର । କନିକା ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତିଯେ, ରାଜକନିକାରେ ଏକ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ସରକାରୀ ଜମିର ମାପଚୁପ୍ କରି ପ୍ରସ୍ତୁତ କରାଯାଇଛି । ଏମିତିକି ତିନିଗୋଟି ଜମିରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏ ବାବଦରେ ତିନି ଥର ଚିଠି ଲେଖିସାରିଲେଣି ତହସିଲଦାର । ହେଲେ ଜମି ଦେଖିବାକୁ ଓଏସ୍‌ଆର୍‌ଟିସି ଆସୁନଥିବାର ସେ କ୍ଷୋଭର ସହିତ କହିଛନ୍ତି । ଡ଼ିସେମ୍ବର ୪ ତାରିଖ ୨୦୧୮, ନଭେମ୍ବର ୨୮ ତାରିଖ ୨୦୧୯ ଏବଂ ଜୁନ୍ ୨୫ ୨୦୨୦ ମସିହାରେ ତହସିଲଦାର ତିନୋଟି ଚିଠି ଲେଖିଛନ୍ତି । ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ । ଚିଠିରେ ସରକାରୀ ଜମି ପ୍ରସ୍ତୁତ ରହିଛି । କ୍ଷେତ୍ର ପରିଦର୍ଶନ କରି ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁରୋଧ କରାଯାଇଛି । ହେଲେ ତହସିଲଦାରଙ୍କ ଚିଠିର ଉତ୍ତର ଦେଇନାହାଁନ୍ତି ରାଜ୍ୟ ପରିବହନ ବିଭାଗର ଅଧିକାରୀ । ଯେଉଁ କାରଣରୁ ବସ୍ ଷ୍ଟାଣ୍ଡ କାର୍ଯ୍ୟ ଆଗେଇପାରୁ ନାହିଁ । ଏହିି କାରଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆରାସା ମୌଜାର କଂଟପଡ଼ା ବଜାର ନିକଟ କଟକ-ଚାନ୍ଦବାଲି ରାସ୍ତାକୁ ଲାଗିରହିଥିବା ସରକାରୀ ଜମିରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ତହସିଲଦାର ପ୍ରସ୍ତାବ ଦେଇଛନ୍ତି । ଏହି ଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଗଲେ ଲୋକମାନଙ୍କୁ ସୁବିଧା ହୋଇପାରିବ ବୋଲି ତହସିଲଦାର ଶ୍ରୀବେହେରା କହିଛନ୍ତି । ରାଜକନିକା ଠାରେ ଏକ ସରକାରୀ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ବହୁ ଦିନ ଧରି ଦାବି ହୋଇଆସୁଛି । ରାଜକନିକାରୁ ପ୍ରାୟ ୩୬ଟି ବସ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବାରୁ ଏଠାରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣର ଆବଶ୍ୟକତା ରହିଛି । ବସ୍ ଷ୍ଟାଣ୍ଡ ନଥିବାରୁ କଟକ-ଚାନ୍ଦବାଲି ରାସ୍ତା ଉପରେ ବସ୍ ଗୁଡ଼ିକ ରଖିବାକୁ ବାଧ୍ୟ ହେଉଛନ୍ତି ବସ୍ ମାଲିକ । ଏହି କାରଣରୁ ଯାତାୟତରେ ଲୋକମାନେ ନାହିଁ ନଥିବା ହିନସ୍ତା ଭୋଗ କରୁଛନ୍ତି । ଖରା ବର୍ଷାରେ ରାସ୍ତା ଉପରେ ବଡ଼ ଦହଗଞ୍ଜ ହେଉଛନ୍ତି ଯାତ୍ରୀ । ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ କେନ୍ଦ୍ରାପଡ଼ା ତତ୍କାଳୀନ ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି କାର୍ଯ୍ୟ ତ୍ୱରାନିତ କରିବାକୁ ଦାବି କରିଥିଲେ । ଜିଲାପାଳ ଖୁବ୍ ଶୀଘ୍ର ବସ୍‌ଷ୍ଟାଣ୍ଡ ନିର୍ମାଣ ହେବା ନେଇ ପ୍ରତିଶୃତି ଦେଇଥିଲେ । ହେଲେ ଜିଲାପାଳଙ୍କ ଇତିମଧ୍ୟରେ ପୁରୀକୁ ବଦଳି ହୋଇଯାଇଛି । କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ରାଜକନିକା ଠାରେ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!