ଲକ୍ଷ୍ନୌ, ୨୧/୦୧ :ଉତ୍ତର ପ୍ରଦେଶ ସରକାର ଗଣତନ୍ତ୍ର ଦିବସରେ ବାର୍ଦ୍ଧକ୍ୟ ଏବଂ ଅସାଧ୍ୟ ରୋଗରେ ପିଡ଼ିତ ହୋଇଥିବା ୫ ଶହ କଏଦୀଙ୍କୁ ମୁକ୍ତ କରିବା ନେଇ ଘୋଷଣା କରିଛନ୍ତି । ଲକ୍ଷ୍ନୌର ଆଦର୍ଶ ଜେଲ୍, ନାରୀ ବନ୍ଦୀ ନିକେତନ ଛଡ଼ା ବାରଣାସି, ବରେଲି, ଆଗରା, ଫତେହଗଡ଼ ଏବଂ ନୌନି ସେଣ୍ଟ୍ରାଲ ଜେଲ୍ ସହ ଜିଲ୍ଲା ଜେଲ୍ର କିଛି କିଛି କଏଦୀଙ୍କୁ ଏହି ଅଭିଯାନରେ ଜେଲ୍ରୁ ଛଡ଼ାଯିବ। ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ୍ଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍ ଡିଜି ଆନନ୍ଦ କୁମାର ମୁକ୍ତ ହେବାକୁ ଥିବା କଏଦୀଙ୍କ ତାଲିକା ପଠାଇବାକୁ କୁହାଯାଇଛି । ଗତ ବର୍ଷ ନଭେମ୍ୱର ୨୧ ତାରିଖରେ ନାରୀ ବନ୍ଦୀ ନିକେତନକୁ ନିଜର ଜନ୍ମଦିନ ପାଳନ କରିବା ପାଇଁ ରାଜ୍ୟପାଳ ଯାଇଥିଲେ । ସେଠାରେ ନାରୀ କଏଦୀମାନଙ୍କ ଅବସ୍ଥା ଦେଖି ସେ ଭାବୁକ ହୋଇଯାଇଥିଲେ । ସେତେବେଳେ ସେ ମହିଳା କଏଦୀଙ୍କୁ ମୁକ୍ତ କରିବା ପାଇଁ ଆଶ୍ୱାସନା ଦେଇଥିଲେ । ରାଜ୍ୟପାଳ ଏନେଇ ଏକ ବୈଠକ ଡିକିଥିଲେ । ଏଥିରେ ଯୋଗଦେଇଥିବା ଡିଜି ଆନନ୍ଦ କୁମାର ଏବଂ ଡିଏମ୍ ଅଭିଷେକ ପ୍ରକାଶଙ୍କୁ ମୁକ୍ତ ହେବାକୁ ଥିବା ମହିଳା କଏଦୀ ତାଲିକା ଦେବାକୁ ସେ କହିଥିଲେ । ଜିଆଇଜି ବିପି ତ୍ରିପାଠି ଏନେଇ କହିଛନ୍ତି ଯେ, ପ୍ରଦେଶର ଜେଲ୍ଗୁଡ଼ିକରୁ ପାଖାପାଖି ୮ ଶହ କେସ୍ ଆସିଥିଲା । ସେମାନଙ୍କ ମଧ୍ୟରୁ ମୁକ୍ତ ହେବା ପାଇଁ ପୂରଣ କରୁଥିବା ନିୟମାବଳୀକୁ ଦୃଷ୍ଟିରେ ରଖି ୫ ଶହ କଏଦୀଙ୍କ ନାମକୁ ସୁପାରିଶ କରାଯାଇଥିଲା । ସେମାନଙ୍କୁ ଏବେ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି । ଏଥିପାଇଁ ଗଠିତ କମିଟି ସେମାନଙ୍କ ବିଚାର କରି ରିପୋର୍ଟ ରାଜଭବନକୁ ପଠାଇବେ । ଏଥିରେ ୧୬ ବର୍ଷ ସଜାକାଟିଥିବା, କ୍ୟାନ୍ସରରେ ପିଡ଼ିତ ଥିବା, ହାର୍ଟ, ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ଥିବା ଏବଂ ୮୦ ବର୍ଷରୁ ଅଧିକ ବୟଷ୍କ କଏଦୀଙ୍କୁ ଛଡ଼ାଯିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |