63

ଚନ୍ଦନପୋଖରୀ ଛକରେ ବଢ଼ୁଛି ଦୁର୍ଘଟଣା, ରମ୍ବଲର୍ସ ନିର୍ମାଣ ନହେଲେ ରାସ୍ତାରୋକ୍ ପାଇଁ ଚେତାବନୀ

୬ମାସରେ ୨୪ ଦୁର୍ଘଟଣା, ୪ଜଣଙ୍କର ମୃତ୍ୟୁ, ପ୍ରହସନ ପାଲଟିଛି ସଡ଼କ ସୁରକ୍ଷା ସପ୍ତାହ

ରାଜକନିକା,୨୧/୧:ରାଜକନିକା ବ୍ଳକ୍‌ର ଚନ୍ଦନପୋଖରୀ ଛକ ଏବେ ବିପଦରେ । ଚାରିଛକ କାରଣରୁ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା । ଗତ ଛଅ ମାସ ମଧ୍ୟରେ ୨୪ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କର ଜୀବନ ଅକଳାରେ ଝଡ଼ିଯାଇଥିବାର ଜଣାପଡ଼ିଛି । ଗତ ମଙ୍ଗଳବାର ଜଣେ କଲେଜ ଛାତ୍ରଙ୍କର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଛି । ଚନ୍ଦନପୋଖରୀ ଛକରେ ଛାତ୍ର ଜଣକ ଠିଆ ହୋଇଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା । ଏହି କାରଣକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖାଦେଇଛି । ଚନ୍ଦନପୋଖରୀ ଛକର ଦୁଇ ପାଶ୍ୱରେ ରମ୍ବଲର୍ସ ନିର୍ମାଣ ସହିତ ବ୍ଲିଙ୍କର ନ ଲଗାଇଲେ ରାସ୍ତାରୋକ କରାଯିବା ନେଇ ଚେତାବନୀ ଦେଇଛନ୍ତି ଲୋକେ । ଚଳିତ ମାସରେ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏଦିଗରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଏଭଳି ସପ୍ତାହ ପାଳନ ଦୁର୍ଘଟଣାକୁ ରୋକା ଯାଇ ପାରୁନଥିବା ବେଳେ ପ୍ରହସନ ପାଲଟୁଥିବାର ସାଧାରଣରେ ଅଭିଯୋଗ ହେଉଛି । ରାଜକନିକା ବ୍ଲକ୍‌ର ଚନ୍ଦନପୋଖରୀ ଛକରେ କଟକ-ଚାନ୍ଦବାଲି ରାସ୍ତା ସହିତ ସିଂହପୁର-ରିଘାଗଡ଼ ରାସ୍ତା ମିଶି ଚାରିଛକ ସୃଷ୍ଟି କରିଛି । ଏହି କାରଣରୁ ବିନା ଟ୍ରାଫିକ ଏବଂ ପୁଲିସ ବ୍ୟବସ୍ଥା ନଥିବାରୁ କେଉଁ ପଟରୁ କେଉଁ ପଟକୁ ଗାଡ଼ି ଯାଇଛି, ସେ ସଂପର୍କରେ ଗାଡ଼ି ଚାଳକମାନେ ଜାଣିପାରୁ ନାହାଁନ୍ତି । ଏହା ସହିତ କଟକ-ଚାନ୍ଦବାଲି ରାସ୍ତାରେ ଦୃତ ଗତିରେ ଟ୍ରକଗୁଡ଼ିକ ବେପରୁଆ ଭାବେ ଚାଲୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଜଣାପଡ଼ିଛି । ଏହି ଛକରେ କିଏ ଆଗ ଯିବ ଆଉ କିଏ ପଛେ ଯିବ, ସେ ସଂପର୍କରେ କେହି ଜାଣିପାରୁ ନଥିବାରୁ ଅନେକ ସମୟରେ ଛକ୍‌ରେ ଦୁର୍ଘଟଣା ଘଟୁଛି । ଏହି ରାସ୍ତାଦେଇ ପୂର୍ବକନିକାର ୫୦ ହଜାର ଲୋକମାନେ ପ୍ରତିଦିନ ଥାନା, ତହସିଲ, ବ୍ଲକ୍ ଏବଂ ଜିଲା ସଦର ମହକୁମାକୁ ଯାତାୟତ କରୁଛନ୍ତି । ଏହା ସହିତ ପାଂଚ ଶହରୁ ଅଧିକ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲ ଏବଂ କଲେଜକୁ ଯାତାୟତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବହୁ ବିପଦପୂର୍ଣ୍ଣ ଭାବେ ଏହି ଛକକୁ ପାର ହୋଇ ଯାତାୟତ କରୁଛନ୍ତି । ଏହି କାରଣକୁ ନେଇ ଅବିଭାବକ ମାନେ ସବୁ ସମୟରେ ଚିନ୍ତାରେ ରହୁଥିବାର ଜଣାପଡ଼ିଛି । ଏହି ରାସ୍ତାରେ ଦୃତ ଗତିରେ ଯାତାୟତ କରୁ୍‌ଥିବା ଟ୍ରକ ଗୁଡ଼ିକର ଗେବ ନିୟନ୍ତ୍ରଣ କରିବାରେ କାହାରି ଆଙ୍କୁଶ ନଥିବା ପରି ମନେ ହେଉଛି । ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ଏହି ଛକକୁ କଳା ଗର୍ତ୍ତ ଭାବେ ଘୋଷଣା କରି ତୁରନ୍ତ ଗୋଲମ୍ଲର ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଦୁର୍ଘଟଣାର କାରଣ ଏବଂ ଏହାର ନିରାକରଣ ସଂପର୍କରେ ଦୃଷ୍ଟି ଦିଆନଯାଇ କେବଳ ପ୍ରଚାର ସର୍ବସ୍ୱରେ ସୀମିତ ରହୁଛି ସଡ଼କ ସୁରକ୍ଷା ସପ୍ତାହ ପାଳନ । ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ନିରାକରଣ ବଦଳରେ କେବଳ ସୁରକ୍ଷା ସପ୍ତାହ ପାଳନ କରିବା ଦିଗରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ୧୮ରୁ ୨୨ ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀମାନେ ଦୃତ ଗତିରେ ଗାଡ଼ି ଚାଳନା କରୁଥିବାର ଜଣାପଡ଼ିଛି । ଏହି ବୟସର ଚାଳକମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଅଧିକ ସଚେତନତା ଦିଗରେ ଆବଶ୍ୟକତା ରହିଛି । ହେଲେ ତାହା କରାଯାଉନଥିବାର ଜଣାପଡ଼ିଛି । ସେହି ଭଳି ଟ୍ରାଫିକ୍ ନିୟମକୁ ମାନିବାକୁ କେବଳ ଫାଇନ୍ ବ୍ୟବସ୍ଥା ନକରି ଚଳାକମାନଙ୍କୁ ଅବଗତ କରିବାର ଦରକାର । ହେଲେ ତାହା କରାଯାଉନଥିବାର ଅଭିଯୋଗ ହେଉଛି । ଏ ସଂପର୍କରେ ଜିଲାପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ, ସାମାଜିକ କର୍ମୀ ଶ୍ରୀନିବାସ ଦାଶ, ଦର୍ପନାରାୟଣ ରାଉତ, ବେଣୁଧର ପରିଡ଼ା, ବିଜୟ ସେନାପତି, କାଶୀନାଥ ମାଝୀ, ପ୍ରାକ୍ତନ ପଂଚାୟତ ସମିତିର ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ସମିତି ସଭ୍ୟ ମଙ୍ଗୁଳି ଚରଣ ବେହେରା, ଯୁବନେତା ସତ୍ୟ ରଞ୍ଜନ ନାୟକ, ସାମାଜିକ କର୍ମୀ ନଳିନୀକାନ୍ତ ପୃଷ୍ଟି, ପ୍ରଫୁଲ୍ଲ କୁମାର ମହାପାତ୍ର, କ୍ଷୀରୋଦ ବେହୁରିଆ ଏବଂ ଦାମୋଦର ଧଳ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଏହି ଛକରେ ରମ୍ବଲର୍ସ ସହିତ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକାରୀ ନହେଲେ ରାସ୍ତାରୋକ ସହିତ ଧାରଣା ଦିଆଯିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅକାଳରେ ଚାଲିଗଲା ଅନୁପଙ୍କ ଜୀବନ

ମୃତ୍ୟୁ କେତେ ବେଳେ କାହା ପାଇଁ କେମିତି ତାହା ସମସ୍ତଙ୍କୁ ଅଜଣା । ହେଲେ ରାସ୍ତା ଦୁର୍ଘଟଣାରେ ଅକାଳରେ ଝଡ଼ିଯାଉଛି ଅନେକ ନିରୀହ ଜୀବନ । ରାଜକନିକା ବ୍ଳକ୍‌ର ଚନ୍ଦନପୋଖରୀ ଛକ୍‌ରେ ଦୁର୍ଘଟଣାରେ ଅକାଳରେ ମୃତ୍ୟୁ ବରଣ କରିଛନ୍ତି ରାଜକନିକା ବ୍ଲକ୍ ଗଂଜା ଗ୍ରାମର ସମର ବଲ୍ଲଭ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଅନୁପ । ବୟସ ମାତ୍ର ୧୯ । ରାଜନଗର, ଜଗନ୍ନାଥ ମହାବିଦ୍ୟାଳୟର ୨ୟ ବର୍ଷର ବିଜ୍ଞାନ ଛାତ୍ର । ହେଲେ ଛକ୍‌ରେ ଠିଆ ହୋଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କଟକ-ଚାନ୍ଦବାଲି ରାସ୍ତରେ ଦୃତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଛଦେଶ ଗ୍ରାମର ରଜନୀକାନ୍ତ ଆଚାର୍ଯ୍ୟ(୩୫) ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ଗଂଜା ଗ୍ରାମର ଖଗେଶ୍ୱର ସାହୁଙ୍କ ପୁଅ ଦେବାଶିଷ(୩୦) ଅକ୍ଟୋବର ମାସରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ସେହିଭଳି କାଳିକାପୁର ଗ୍ରାମର ସିପୁ ବିଶ୍ୱାଳ(୨୬) ରାସ୍ତାରେ ଦୁର୍ଘଟଣାରେ ଗୁରୁତର ଆହାତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଗତ ଛଅ ମାସ ମଧ୍ୟରେ ୨୪ଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କର ଜୀବନ ଅକଳାରେ ଝଡ଼ିଯାଇଥିବାର ଜଣାପଡ଼ିଛି । ଅନେକ ଗୁରୁତ୍ତର ଆହତ ହୋଇଛନ୍ତି । ରାସ୍ତା ଦୁର୍ଘଟଣାରେ ଏହି ଅଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୃତ ଗତିରେ ଗାଡ଼ି ଚାଳନା, ନିଶାସେବନ ସହିତ ରାସ୍ତାର ଟ୍ରାଫିକ ନିୟମ ନମାନିବା ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଇଛି । ଏହା ସହିତ ରାସ୍ତାରେ ଆବଶ୍ୟକୀୟ ଟ୍ରାଫିକ ପୁଲିସ ଅଭାବ,ବେଆଇନ୍ ପାର୍କିଂ, ପାର୍କିଂ ସ୍ଥାନର ଅଭାବ, ବେଆଇନ୍ ଜବରଦଖଲ ଆଦି ବିଭିନ୍ନ କାରଣ ମଧ୍ୟ ସଡ଼କ ଦୁର୍ଘଟଣା ପାଇଁ ଦାୟୀ । ତେବେ ଗାଡ଼ି ଚଳାଇବା ବେଳେ ବେଗ ନିୟନ୍ତ୍ରଣ ରଖିବା, ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାଇବାକୁ ଗୁରୁତ୍ୱ ଦେଲେ ଦୁର୍ଘଟଣାରୁ ରୋକାଯାଇ ପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!