ମୁମ୍ବାଇ,୨୪ା୧୨: ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ହେପାଜତକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଥିଲେ ଯେ ତଦନ୍ତ ସମୟରେ ଉଭୟ ସହଯୋଗ କରି ନଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଥିଲା।ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି। ଏହାପରେ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ନେଇଛି। କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବାବେଳେ ୨୦୧୨ରେ ଭିଡିଓକନ ଗ୍ରୁପକୁ ୩୨୫୦ କୋଟି ଟଙ୍କା ଋଣ ପ୍ରଦାନରେ ଅନିୟମିତତା ହୋଇଥିଲା। ଏହି ଗ୍ରୁପକୁ ଅନୁକମ୍ପା ଅଭିଯୋଗ ଆସିବାପରେ ୨୦୧୮ ଅକ୍ଟୋବରରେ କୋଚର ଘରୋଇ ବ୍ୟାଙ୍କ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ସେ ବ୍ୟାଙ୍କ ଆଚରଣ ବିଧି ଏବଂ ଆଭ୍ୟନ୍ତରୀଣ ନୀତିର ଉଲ୍ଲଂଘନ କରିଥିବାରୁ ବ୍ୟାଙ୍କ ତାଙ୍କ ଇସ୍ତଫାକୁ ବରଖାସ୍ତ ଭାବେ ଗ୍ରହଣ କରିଥିଲା। ତାଙ୍କ ବିରୋଧରେ ସିବିଆଇ ଅପରାଧ ଷଡ଼ଯନ୍ତ୍ର ଏବଂ ଠକେଇ ମାମଲା ରୁଜୁ ହୋଇଥିଲା।ବ୍ୟାଙ୍କର କମିଟି ୨୦୦୯ ଅଗଷ୍ଟ ୨୬ ତାରିଖରେ ୩୦୦ କୋଟି ଟଙ୍କା ଭିଡିଓକନ ଇଣ୍ଟରନ୍ୟାସନାଲ୍ ଇଲେକଟ୍ରୋନିକସକୁ ଋଣ ମଂଜୁର କରିଥିଲା ଏବଂ ୨୦୧୧ ଅକ୍ଟୋବର ୩୧ ତାରିଖରେ ଭିଡିଓକନ ଇଣ୍ଡଷ୍ଟ୍ରି ଲିମିଟେଡକୁ ୭୫୦ କୋଟି ଟଙ୍କା ଋଣ ମଂଜୁର କରିଥିଲା, ଯାହାକି ବ୍ୟାଙ୍କର ନିୟମ ବିରୁଦ୍ଧ ଥିଲା। ଏସବୁ ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ଦାବି ହୋଇଥିଲା। ତେବେ ସେହି ସମୟରେ ଚନ୍ଦା କୋଚ୍ଚର ଉକ୍ତ ବ୍ୟାଙ୍କର ଏମଡି ଓ ସିଇଓ ଥିବାରୁ ଉକ୍ତ ଘଟଣା ଇଡିର ତଦନ୍ତ ପରିସରକୁ ଆସିଥିଲା। ପରେ ସିବିଆଇ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଚନ୍ଦା କୋଚରଙ୍କ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଇଡି ଚନ୍ଦା ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |