‘ଆତ୍ମନୀର୍ଭରଶୀଳ ଭାରତ’ର ଉଦାହରଣ ସାଜିଛନ୍ତି ବିକାଶ

ରାଜକନିକା,୨/୭(ଓଡ଼ିଆନ୍ ମିଡ଼ିଆ)- : କରୋନା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନା । ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ନିଜେ ହିଁ ନିଜର ଆର୍ଥିକ ସ୍ୱଚ୍ଛଳତାର ମାଧ୍ୟମ ବୋଲି କହିଛନ୍ତି । ସେଥିପାଇଁ ନିଜେ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନକୁ ସାକାର କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକାର ବିକାଶ ବେହେରା । ଅଦ୍ୟମ ଇଚ୍ଛାଶକ୍ତି ଆଗରେ ସବୁ ଯେମିତି ହାର ମାନିଛି, ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ । ସେହିଭଳି ଜଣେ ଉଦୀୟମାନ ଯୁବକ ଏହା ପ୍ରମାଣିତ କରି ଦେଖାଇଛନ୍ତି । ଅଧିକ ପାଠ ପଢିନ ଥିଲେବି, ସ୍ୱାବଲମ୍ବି ହୋଇପାରିଛନ୍ତି ସେ । ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ କାଞ୍ଜିଖାଇ ଗ୍ରାମର ଯୁବକ ବିକାଶ ବେହେରା । ଆର୍ଥିକ ଅନାଟନରେ ପାଠ ପଢିନପାରି ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଚାଳିଯାଇଥିଲେ କାମ ଅନ୍ୱେଷଣରେ । ହେଲେ ଅନ୍ୟ ରାଜ୍ୟରେ କାମକରିବାକୁ ଭଲ ନ ଲାଗିବାରୁ ସେ ଫେରିଆସିଥିଲେ ନିଜ ଜନ୍ମ ସ୍ଥାନକୁ । ନିଜ ଗାଁରେ ସହରକୁ ଦେଖିବା ପାଇଁ ନିଜସ୍ୱ ଉଦ୍ୟମରେ ନିଜ କ୍ଷେତରେ ସବୁଠାରୁ ବଡ଼କଥା ନିଜସ୍ୱ ଚିନ୍ତାଧାରାରେ ଆରମ୍ଭ କରିଥିଲେ ଉନ୍ନତ ପ୍ରଣାଳିର ଚାଷ । ୨୦୧୫ ମସିହାରୁ ନିଜ ଘର ପାଖ ୧୭ ଗୁଣ୍ଠ କ୍ଷେତରେ ବାହାର ରାଜ୍ୟରୁ ଖଟି ରୋଜଗାର କରିଥିବା ୩୦ ହଜାର ଟଙ୍କା ବ୍ୟୟରେ ପ୍ରଥମେ କଙ୍କଡ଼ାଚାଷ ଆରମ୍ଭ କରିଥିଲେ । କଙ୍କଡ଼ାଚାଷ କ୍ଷତି ହେବାରୁ ସେ ପୁନର୍ବାର ୨୨ ଗୁଣ୍ଠ ଜମିରେ ମାଛଚାଷ କରିବା ସହ କୁକୁଡ଼ା ଫାର୍ମ ଆରମ୍ଭ କରିଥିଲେ । ଏଥିପାଇଁ କୋଲକାତା ଓ ବାଲେଶ୍ୱରରୁ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଅଳ୍ପପାଣି ଓ ଅଳ୍ପଜାଗାରେ କେମିତି ଅତ୍ୟାଧୁନିକ ପ୍ରଣାଳିରେ ବାୟୋପ୍ଳକ୍ ମାଧ୍ୟମରେ ମାଛଚାଷ କରାଯାଇ ପାରିବ ତାହା ସେ ଆରମ୍ଭ କରିଥିଲେ । ତା’ର ଫଳାଫଳରେ ସାତ ରୁ ଆଠ ମାସ ମଧ୍ୟରେ ୧୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱମାଛ ଅମଳ କରିଥିଲେ । ଏହାପରେ ଆଉ ସେ ପଛକୁ ଫେରିନାହାଁନ୍ତି, ଆଗକୁ ଆଗକୁ ମାଡ଼ିଚାଲିଲେ । ହେଲେ ଏଥିପାଇଁ ତାଙ୍କୁ କୌଣସି ସରକାରୀ ସାହାଯ୍ୟ ଓ ସହୟତା ମିଳି ନ ଥିଲେ ମଧ୍ୟ ମନଉଣା ନ କରି ତାଙ୍କ ଫାର୍ମକୁ ଆହୁରି ବଢାଇବାକୁ ଲାଗିପଡ଼ିଲେ । ମାଛଚାଷ ସହିତ ବିଭିନ୍ନ ପ୍ରକାରର କୁକୁଡ଼ାଚାଷ କରିବା ସହ ସେମାନଙ୍କ ଅଣ୍ଡାକୁ ମିକ୍ସବ୍ରିଡ୍ କରି ଇଣ୍ଟୁଭିଟର ସାହାଯ୍ୟରେ ନୂତନ କିସମର କୁକୁଡ଼ା ଛୁଆ ଉତ୍ପାଦନ କରିବା ତାଙ୍କର ଥିଲା ଲକ୍ଷା ଏବଂ ଏହାଦ୍ୱାରା ବହୁ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ତାଙ୍କ ର୍ଫାମକୁ ଦେଖିବାପାଇଁ ଦେଶ ବିଦେଶରୁ ଅନେକ ଚାଷି ଆସୁଥିବା ବେଳେ, ବହୁ ଯୁବପିଢି ଏହାକୁ ଦେଖି ଆକୃଷ୍ଟ ହୋଇଥିବା କଥା ସେ ବଖାଣିଛନ୍ତି । ସ୍ୱଚ୍ଛାସେବୀ ସଙ୍ଗଠନ ଗ୍ରାମ-ଉତ୍‌ଥାନ ସହଯୋଗରେ ବିକାଶ ତାଙ୍କର ସେହି ସ୍ୱଳ୍ପ ଜମିରେ ୩୦ରୁ ଉର୍ଦ୍ଧ୍ୱ ନଡ଼ିଆଗଛ ଲଗାଇବା ସହ ଉନ୍ନତ ମାନର ମାଛଚାଷ ସହ ବିଭିନ୍ନ ପ୍ରକାରର କୁକୁଡ଼ାଚାଷ (ବନରାଜ, କଡ଼କନାଥ, ଫାଇଟର, ଅସଲି, ଲେୟାର, ଅଷ୍ଟ୍ରେଲିଆ, ଦେଶୀ ) ସାଙ୍ଗକୁ ବିଭିନ୍ନ ପ୍ରକାରର କୁକୁଡ଼ାଅଣ୍ଡାରୁ ଉନ୍ନତ ପ୍ରଣାଳିରେ କୁକୁଡ଼ାଛୁଆ ପ୍ରଜନନ କରାଇବା ଏବଂ ଉନ୍ନତ ମାନର ମାଛଯାଆଁଳ ଉତ୍ପାଦନ କରି ସ୍ୱାବଲମ୍ବି ହୋଇପାରିଛନ୍ତି । ଏହାବାଦ ଆଖପାଖ ଅଞ୍ଚଳର ଥିବା ୩୦ଟି ପୋଖରୀର ମାଛଚାଷ ଦାୟିତ୍ୱ ନିଜେ ବିକାଶ ବୁଝିଥାନ୍ତି । କମ୍ ଦିନ ମଧ୍ୟରେ ଅଧିକ ମାଛ ଉତ୍ପାଦନ କରିବା ପ୍ରଣାଳିକୁ ଆପଣାଇ ବିକାଶ ନିଜେ ଆର୍ଥିକ ସ୍ୱଚ୍ଛଳ ହୋଇଥିବା ବେଳେ, ଗାଁ ଛାଡ଼ି ବାହାର ରାଜ୍ୟରେ ଖଟିବାକୁ ଯାଉଥିବା ଯୁବପିଢିଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇଛନ୍ତି।

Leave a Reply

Your email address will not be published. Required fields are marked *