ବିଧାନସଭା କର୍ମଚାରୀଙ୍କର ହେବ କୋଭିଡ୍‌ ଟେଷ୍ଟ

ବିଧାନସଭାର ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ କର୍ମଚାରୀଙ୍କର ସ୍ବାବ୍‌ ପରୀକ୍ଷା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏ ନେଇ ବିଧାନସଭା ପକ୍ଷରୁ ବିଏମ୍‌ସିକୁ ମଧ୍ୟ ଚିଠି କରାଯାଇଛି। ଖୁବଶୀଘ୍ର କର୍ମଚାରୀମାନଙ୍କର ନମୁନା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ବିଧାୟକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜୁଲାଇ ଶେଷ ପର୍ଯ୍ୟନ୍ତ ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକକୁ ବାତିଲ କରିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସୌଧ ବିଶୋଧନ ପରେ କିମ୍ବା ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକ କରିବାକୁ ସେମାନେ ଦାବି କରିଛନ୍ତି।ବାଚସ୍ପତି ଶ୍ରୀ ପାତ୍ର କହିଥିଲେ, କରୋନା ମହାମାରୀକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୁନ୍‌ ଓ ଜୁଲାଇ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି କହିଛନ୍ତି । ଗତମାସରେ ଷ୍ଟାଣ୍ଡିଂ କମିଟିର ବୈଠକଗୁଡ଼ିକ ଅନୁଷ୍ଠିତ ହୋଇଥିଲା ସମସ୍ତ କମିଟି ବୈଠକ ଚଳିତମାସରେ ହୋଇପାରିବନି ବୋଲି ମଧ୍ୟ ଆଗରୁ କୁହାଯାଇଥିଲା। ଏବେ ଯେଉଁ କମିଟି ବୈଠକ ନେଇ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା ସେସବୁ ବୈଠକକୁ ବାତିଲ କରାଯାଇଛି। ମାର୍ଚ୍ଚ ମାସରେ ବିଧାନସଭା ବସିଥିଲା। ନିୟମ ଅନୁଯାୟୀ ୬ ମାସ ମଧ୍ୟରେ ପରବର୍ତ୍ତୀ ଅଧିବେଶନ ହେବା କଥା। ସପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି। ଆଗକୁ କରୋନା ସ୍ଥିତିକୁ ଦେଖି ଅଧିବେଶନ ବୈଠକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *