ବ୍ରହ୍ମପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ

ଭୁବନେଶ୍ୱର,୨୫ା୮:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ କଲେ ସ୍ଥାନୀୟ ବିଜେଡି ନେତା।  ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି। ପୁଲିସ ଉପ ସ୍ଥିତିରେ ପିଟାପିଟି ହୋଇଛି। ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରୁଛି।5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା। ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।  ବ୍ରହ୍ମପୁର ପୂର୍ବରୁ ଲାଞ୍ଜିପଲ୍ଲୀରେ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ। କୌଣସି ପରିସ୍ଥିତିରେ ବି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ପଶିବାକୁ ଦିଆଯିବନି ବୋଲି ସେମାନେ କହିଛନ୍ତି। ଆଉ ସେଥିପାଇଁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ। ମୁହାଁମୁହିଁ ହୋଇଥିଲେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ।ଲାଞ୍ଜିପଲ୍ଲୀରେ ବିଜେଡି କର୍ମୀମାନେ ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇ ଥିଲେ। କିଛି ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲେ। ଏହି ସମୟରେ ପ୍ରଦୀପଙ୍କ ସମର୍ଥକମାନେ ସେମାନଙ୍କୁ ଗାଡ଼ି ଉପରୁ ଟାଣି ନେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଠେଲାପେଲା ଓ ହାତାହାତି ହୋଇଥିଲେ। କିଛି ଲୋକ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଠେଲାପେଲା କରିଥିବା ଜଣାପଡ଼ିଛି। ତାଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ଓ ପାଣି ବୋତଲ ମାଡ଼ ମଧ୍ୟ ହୋଇଥିଲା।ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯିବା ପୂର୍ବରୁ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଥିଲେ, ମୋ ନିର୍ବାଚନ ମଣ୍ଡଳୀକୁ ଯାଉଛି। ମୋତେ କିଏ ରୋକିବ ଦେଖିବି। ଏଥିସହ ସେ କହିଥିଲେ, ଯଦି ବାଟରେ ମୋ’ ଉପରେ କିଛି ଆକ୍ରମଣ ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଭୁବନେଶ୍ୱର ଡିସିପି ଓ ଗଞ୍ଜାମ ଏସ୍‌ପି ଦାୟୀ ରହିବେ।୫ଟି ସଚିବ ଭି.କେ ପାଣ୍ଡିଆନ ଆଜିଠୁ ତିନି ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି। ୫ଟି ସଚିବ ଗଞ୍ଜାମ ଯିବା ବେଳେ ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯିବେ ବୋଲି ଗତ ୧୫ ତାରିଖରେ ସୂଚନା ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!