ରାଜକୋଟ୍, ୨୭ା୯ : ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଜିତିବା ସହ ସିରିଜ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିିଛି ଭାରତ।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ ବୁଧବାର ରାଜକୋଟରେ ଖେଳାଯିବ। ବିଶ୍ବକପ ପୂର୍ବରୁ ଉଭୟ ଦଳ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିବେ। ଘରୋଇ ଭାରତ ୨-୦ରେ ଆଗୁଆ ରହି ଶୃଙ୍ଖଳା ଜିତି ସାରିଛିା ଦଳ ନିକଟରେ ଶୃଙ୍ଖଳା ମୂଳପୋଛ କରିବା ନେଇ ବଡ ସୁଯୋଗ ରହିଛି। ଦୁଇ ଦଳ ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ଖେଳୁଥିବାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦୁଇ ମ୍ୟାଚରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ କୁଳଦୀପ୍ ଯାଦବ ଅନ୍ତିମ ମ୍ୟାଚ ଲାଗି ଦଳକୁ ଫେରିଛନ୍ତି। ଭାରତ ପ୍ରଥମ ଦିନିକିଆକୁ ୫ ୱିକେଟରେ ଓ ଦ୍ବିତୀୟ ଦିନିକିଆକୁ ୯୯ରନରେ ଜିତି ଶୃଙ୍ଖଳା ଜିତି ସାରିଛି।ପ୍ରଥମ ଦୁଇ ମ୍ୟାଚରେ ଭାରତ ବ୍ୟାଟିଂ ଓ ବୋଲିଂରେ ଆଶାଜନକ ପ୍ରଦର୍ଶନ କରିଥିଲା। ଶୁବମାନ ଗିଲ୍ ୨ଟି ମ୍ୟାଚରୁ ୭୪ ଓ ୧୦୪, ଶ୍ରେୟାସ ଆୟର ୩ ଓ ୧୦୫, ସୂର୍ଯ୍ୟକୁମାର ଯାଦବ ୭୨ ଓ ୫୦ରନ, ଲୋକେଶ ରାହୁଲ ୫୨ ଓ ୫୮ରନ କରିଥିଲେ। ଗିଲ୍, ରାହୁଲ, ଶ୍ରେୟାସ ଓ ସୂର୍ଯ୍ୟକୁମାର ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଈଶାନ କିଷନ ୧୮ ଓ ୩୧ରନ କରିଥିଲେ। ଶେଷ ଦିନିକିଆରେ ଗିଲ୍ଙ୍କୁ ବିଶ୍ରାମ ଦିଆଯାଇ ରୋହିତ ଶର୍ମା ଖେଳିବେ। ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରୁଥିବାରୁ ବିଶ୍ବକପରେ ଉକ୍ତ ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ଖେଳିବ ତାହାକୁ ନେଇ ମଧ୍ୟ ବଡ ସମସ୍ୟା ସୃଷ୍ଟି ହୋଇଛି। ଦୁଇ ଖେଳାଳି ଶେଷ ଦିନିକିଆରେ ମଧ୍ୟ ଖେଳିବେ। ୱିକେଟରକ୍ଷକ ଭାବେ ରାହୁଲ ଓ ଈଶାନ କିଷନ ଖେଳିବାର ସମ୍ଭାବନା ରହିଛି। ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆ କ୍ରମାଗତ ଦୁଇଟି ଶୃଙ୍ଖଳା ଦକ୍ଷିଣ ଆଫ୍ରିକା ଓ ଭାରତ ନିକଟରୁ ପରାଜିତ ହୋଇଛି। ଶେଷ ଦିନିକିଆକୁ ଜିତି ମାନସିକସ୍ତରରେ ମନୋବଳ ଦୃଢ କରିବା ନେଇ ଅଷ୍ଟ୍ରେଲିଆ ଉଦ୍ୟମ କରିବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |