ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ

ବାଲେଶ୍ୱର,୯।୧୦: ସାମାନ୍ୟ କଥାକୁ ନେଇ ଜଣେ ଛାତ୍ରଙ୍କୁ ନିର୍ଧୂମ ପିଟିବାରୁ ଅକାଳରେ ଆଖି ବୁଜିଲେ ଛାତ୍ରଜଣକ । ଏଥିନିମନ୍ତେ ସମ୍ପୃକ୍ତ ଶିକ୍ଷକଙ୍କୁ ଦାୟୀ କରି ସ୍କୁଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର ଲୋକେ। ଏପରି ଏକ ଲୋମହର୍ଷଣକାରୀ ଘଟଣା ବାଲେଶ୍ୱର ଖନ୍ତାପଡା ଥାନା କୁଳିଗାଁ ପଞ୍ଚାୟତର ବଂଶୀଧର ବିଦ୍ୟାପୀଠରେ ଘଟିଛି।ମୃତ ଛାତ୍ରଜଣକ ହେଲେ ସୁମନ । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକଜଣକ ବଂଶୀଧର ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଳିକ ବୋଲି ଜଣାଯାଇଛି। କୌଣସି କାରଣକୁ ନେଇ ହିନ୍ଦୀ ଶିକ୍ଷକଙ୍କ ପୁତୁରା ସୂର୍ଯ୍ୟକାନ୍ତ ଓ ତାଙ୍କ ସହପାଠୀ ସୁମନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ସୂର୍ଯ୍ୟକାନ୍ତ ନିଜ ଦାଦାଙ୍କୁ ଅବଗତ କରିଥିଲେ। ଏହାପରେ ଆକ୍ରୋଶମୂଳକ ଭାବେ ହିନ୍ଦୀ ଶିକ୍ଷକ ମନୋରଞ୍ଜନ ଶନିବାର ଖେଳ ଛୁଟି ପରେ ସୁମନଙ୍କୁ ସ୍କୁଲ ଅଫିସକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି।ଉକ୍ତ ଦିନ ସୁମନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଚିକିତ୍ସାଧିନ ଅବସ୍ଥାରେ ସେହି ମେଡ଼ିକାଲରେ ହିଁ ପ୍ରାଣ ହରାଇଥିଲେ ସୁମନ। ଏନେଇ ଖନ୍ତାପଡ଼ା ଥାନାରେ ପରିବାର ଲୋକେ ଅଭିଯୋଗ କରିବା ସହ ବିଦ୍ୟାଳୟର ସାମ୍ନାରେ ମୃତଦେହକୁ ରଖି ଧାରଣା ଦେଇଥିଲେ। ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଉଠି ମୃତକଙ୍କ ଶେଷକୃତ୍ୟ କରିଥିବା ଜଣାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!