ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା ଚକ୍ର
ଭୁବନେଶ୍ବର,୧୩।୩:ସେଲକୋ ଫାଉଣ୍ଡେସନ ତରଫରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ଯୋଗଦେଇ କୃଷକ ସଂଘ ପରିଚାଳିତ ଗୋଷ୍ଠୀ ସମୂହର କାର୍ଯ୍ୟାବଳୀ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଅମ୍ବିକା ନନ୍ଦ ସୌରଶକ୍ତି ବ୍ୟବହାର କରିବା ଦ୍ବାରା ଜୀବନଶୈଳୀରେ କିପରି ସକରାତ୍ମକ ପ୍ରଭାବ ପଡ଼ିପାରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଭାରତର ଜନସଂଖ୍ୟାର ୩.୪୭% ଓଡ଼ିଶାରେ ବସବାସ କରୁଛନ୍ତି। ହେଲେ ଓଡ଼ିଶାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ହାର ଜାତୀୟହାର ଠାରୁ ଅଧିକ ରହିଥିବା ନେଇ ମୁଖ୍ୟବକ୍ତା ଜଳବାୟୁ ପରିବର୍ତ୍ତନ ଗବେଷକ ଡ଼. ପ୍ରଫୁଲ୍ଲ କୁମାର ଧଳ କହିଛନ୍ତି। ଏନ୍ସିଏଇଆର୍ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପରିବେଶବିତ୍ଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ଏହି କାରଣରୁ ରାଜ୍ୟର ତାପମାତ୍ରା ବୃଦ୍ଧି ପାଉଥିବାରୁ ସେ ଚିନ୍ତାପ୍ରକଟ କରିଛନ୍ତି। ଜାତୀୟସ୍ତରରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ପ୍ରତି ଜଣରେ ୧.୮ ଟନ୍ ଥିବା ବେଳେ ଓଡ଼ିଶାରେ ଏହା ୬.୧୫ଟନ୍ ରହିଛି। ଭାରତର ବାର୍ଷିକ ପ୍ରାୟ ୨.୨୪ ଜିଜା ଟନ୍ ଅଙ୍ଗାରକାମ୍ଲ ନିର୍ଗତ ହେଉଥିବା ବେଳେ ଏହାର ୯.୩ % ଓଡ଼ିଶାରେ ନିର୍ଗତ ହେଉଛି। ରାଜ୍ୟରେ କୋଇଲା ଏବଂ ପେଟ୍ରୋଲିୟମ ତୈଳ ଜାତୀୟ ଦ୍ରବ୍ୟ ବ୍ୟବହାର(ଗ୍ୟାସ୍) ଯୋଗୁ ନିର୍ଗତ ହେଉଛି ୩୪%, କଳକାରଖାନାରୁ (ମାଇନିଂ ଏବଂ ଷ୍ଟିଲ୍ରୁ) ୨୮%, କୃଷିକ୍ଷେତ୍ରରୁ ୧୭.୮% ଗମନାଗମନ କ୍ଷେତ୍ରରେ ୯% ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେଉଛି। ଏହି କାରଣରୁ ରାଜ୍ୟର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ଗତ ଫେବୃଆରୀ ମାସରେ ଭୁବନେଶ୍ବରର ତାପମାତ୍ର ସବୁଠୁ ଅଧିକ ରହିଥିବା ରେକର୍ଡ଼ ହୋଇଛି। ଏହା ସହିତ ଉତ୍ତାପ ବଢୁଥିବାରୁ ସମୁଦ୍ର ପତ୍ତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହା ଦ୍ବାରା ଜୀବନ ଜୀବିକା ଉପରେ ଏହା ପ୍ରଭାବ ପକାଉଛି ବୋଲି ଜଳବାୟୁ ପରିବର୍ତ୍ତନ ଗବେଷକ ଡ଼. ପ୍ରଫୁଲ୍ଲ କୁମାର ଧଳ କହିଛନ୍ତି। ସେ କହିଛନ୍ତି ଯେ,ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଉପକୂଳ ଅଞ୍ଚଳର ୪୮୦ କିଲୋମିଟର ସୀମାରେଖା ଥିବା ଅଞ୍ଚଳ ମଧ୍ୟରୁ ୧୯୮ କିଲୋମିଟର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ୫୦ ବର୍ଷ ମଧ୍ୟରେ ଓଡ଼ିଶାର ସମୁଦ୍ର ପତ୍ତନ ପ୍ରାୟ ୯.୫ ସେଣ୍ଟମିଟର ବଢ଼ିଥିବା ବେଳେ ଜାତୀୟସ୍ତରରେ ୮.୫ ସେଣ୍ଟମିଟର ରହିଛି। ଜାତୀୟସ୍ତର ଠାରୁ ୧ ସେଣ୍ଟିମିଟର ଆଗରେ ରହିଛି ଓଡ଼ିଶା। ଜଳବାୟୁ ପରିବର୍ତ୍ତନର ଭୟାବହତା ଓଡ଼ିଶା ପାଇଁ ବିପଦ ଭାବରେ ଠିଆ ହୋଇଛି। ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ରାଜ୍ୟରେ ଏକ ନୀତିଗତ ନିଷ୍ପତି ସହିତ ସବୁ ବିଭାର ତତ୍ପରତା ପ୍ରକାଶ ପାଇବା ଜରୁରୀ ବୋଲି ସେ କହିଛନ୍ତି। ସିଫାର ବରିଷ୍ଠ ବୈଜ୍ଞାନିକ ଡ.ନାଗେସ ବାରିକ ଯୋଗଦେଇ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ବିକେନ୍ଦ୍ରିକୃତ ଅକ୍ଷୟ ଶକ୍ତିର ଭୂମିକା ଉପରେ ଆଲୋଚନା କରିଥିଲେ । ୨ୟ ଅଧିବେଶନରେ ଓଜିବିର ପ୍ରଭୁ ପ୍ରସାଦ ମିଶ୍ର, ପିପିଏଲ୍ର ଓମ୍ ପ୍ରକାଶ ସାହୁ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ବରଦା ପ୍ରସାଦ ପାଣିଗ୍ରାହୀ,ମିଶନ ଶକ୍ତିର ନବ କିଶୋର ପରିଡ଼ା, ଗ୍ରାମଉତ୍ଥାନର ସମ୍ପାଦକ ଗୋବିନ୍ଦ ଦାଶ ଏବଂ ସୋଲାର ଇନ୍ଫ୍ରାର ସାଇ କ୍ରିଷ୍ଣା ମହାନ୍ତି ପ୍ରମୁଖ ଯୋଗଦେଇ ବିକେନ୍ଦ୍ରୀକୃତ ସୌରଶକ୍ତି ଆଧାରିତ ଜୀବନ ଜୀବିକା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ।
ଏହି ଆଲୋଚନା ଚକ୍ରକୁ ସେଲକୋ ଫାଉଣ୍ଡେସନ୍ର ଇଶିତା ବାନାର୍ଜୀ,ବର୍ଷା ଠାକୁର ଏବଂ ସତ୍ୟପ୍ରିୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ସେଲକୋ ଫାଉଣ୍ଡେସନ୍ର ବରିଷ୍ଠ ଉପଦେଷ୍ଟା ଗୌତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |