ନୂଆଦିଲ୍ଲୀ,୧୩।୫:ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ ଓ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର ନୂଆ କିଟ ଅନାବରଣ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆସନ୍ତା ଟି-୨୦ ବିଶ୍ୱକପରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିକୁ ମଧ୍ୟ ଲଞ୍ଚ କରାଯାଇଛି।ନୂଆ କିଟ ଓ ଜର୍ସି ଲଞ୍ଚ କାର୍ଯ୍ୟକ୍ରମର ଭିଡିଓକୁ ବିସିସିଆଇ ତା’ର ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛି। ପ୍ରଥମେ ରୋହିତ ଓ ଜୟ ଶାହ ଗୋଟିଏ ଜର୍ସିର କପଡ଼ାକୁ ଯାଞ୍ଚ କରିଥିଲେ। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଜର୍ମାନ ସ୍ପୋର୍ଟସୱେୟାର ଆଡିଡାସ ପକ୍ଷରୁ ଭାରତୀୟ ଟିମର ସମସ୍ତ କିଟ୍ସ ଯଥା- ଟ୍ରେନିଂ କିଟ, କୋଚିଂ ଷ୍ଟାଫ କିଟ ଓ ମୁଖ୍ୟ କିଟ୍କୁ ପ୍ରଦର୍ଶିତ କରାଯାଇଥିଲା।ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ପରିଧାନ କରିବାକୁ ଥିବା ଜିର୍ସିର କିଛି ଝଲକ ପୂର୍ବରୁ ହିଁ ଆଡିଡାସ ଫ୍ୟାନ୍ସଙ୍କୁ ଦେଇ ସାରିଥିଲା। ହେଲିକପ୍ଟର ଜରିଆରେ ଟି-୨୦ ବିଶ୍ୱକପ ଜର୍ସିକୁ ଧର୍ମଶାଲା ଷ୍ଟାଡିୟମରେ ରୋହିତ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଉପସ୍ଥିତିରେ ଲଞ୍ଚ କରାଯାଇଥିଲା।ଆଜି ଏହାକୁ କ୍ୟାପ୍ଟେନ ରୋହିତ ଓ ସମ୍ପାଦକ ଜୟ ଶାହ ବିଧିବଦ୍ଧ ଭାବେ ଲଞ୍ଚ କରିଛନ୍ତି। ନୂଆ ଜର୍ସିର ହାତ ଓ ବେକରେ କମଳା ରଙ୍ଗର ଷ୍ଟ୍ରିପ ରହିଛି। ବଡି ଅଂଶଟି ବ୍ଲୁ ରଙ୍ଗର। ଜର୍ସିରେ ଆଡିଡାସର ପ୍ରତୀକ ଓ କଲାରରେ ତ୍ରିରଙ୍ଗା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |