ଭୁବନେଶ୍ୱର,୨୧।୧: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏଥିପାଇଁ ପିଲାମାନଙ୍କ ନାମଲେଖା ବୟସ ଓ ଶ୍ରେଣୀ ବିଭାଗର ଢାଞ୍ଚା ସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷା ପଦ୍ଧତି ଅନୁସାରେ, ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଥମଥର ପାଇଁ ପ୍ରି-ସ୍କୁଲ୍ ଶିକ୍ଷା ବା ‘ଶିଶୁ ବାଟିକା’ ଖୋଲିବ। ୫ରୁ ୬ବର୍ଷ ବୟସର ପିଲାମାନେ ତହିଁରେ ନାମ ଲେଖାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ନାମଲେଖା ବୟସରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ୫ ବର୍ଷ ପୂରଣ ହେଲେ ପ୍ରଥମ ଶ୍ରେଣୀରେ ନାମଲେଖା ହେଉଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ୬ ବର୍ଷ ପୂରଣ ହେବା ପରେ ଯାଇ ଜଣେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବ।ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରେ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ। ଏନ୍ଇପି ଲାଗୁ ହେବା ପରେ ପାଠପଢ଼ା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଦଶମ ଓ ଦ୍ୱାଦଶ (୧୦+୨) ଶ୍ରେଣୀ ଢାଞ୍ଚାରେ ୧୮ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ। ଏହା ପରିବର୍ତ୍ତନ ହୋଇ ୫+୩+୩+୪ ଢାଞ୍ଚା ହେଇଛି। ଏହି ଚାରୋଟି ବର୍ଗକୁ ଯଥାକ୍ରମେ ପ୍ରାରମ୍ଭ ବା ମୌଳିକ, ପ୍ରସ୍ତୁତି, ମଧ୍ୟ ଏବଂ ମାଧ୍ୟମିକ ସ୍ତର ଭାବେ ନାମକରଣ କରାଯାଇଛି। ଛାତ୍ରଛାତ୍ରୀମାନେ ୩ ବର୍ଷରୁ ନାମ ଲେଖାଇବେ।ଏନଇପିରେ ମାତୃଭାଷା ସହ ବହୁଭାଷାରେ ଶିକ୍ଷାଦାନ କରାଯିବ। ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାମାନେ ଯେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଶିକ୍ଷା ଦିଆଯିବ। ଶିକ୍ଷାରେ ଏଆଇର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ତା କରାଯିବ । ଏନଇପିକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷାର ବ୍ୟବଧାନ କମିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସବୁ ପଂଚାୟତରେ ପରିଣତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପିଏମ ଶ୍ରୀ ସ୍କୁଲ ଲାଗି ଧନ୍ୟବାଦ ଦେଇଛନ୍ତି । ୪୫୦ ପିଏମ ଶ୍ରୀ ସ୍କୁଲ ମିଳିଛି । ଆହୁରି ଅଧିକ ପିଏମ ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ୯୧ଟି ସ୍କୁଲ ସହ ୧୦ଟି ଏସସି ଏସଟି ସ୍କୁଲକୁ ଅପଗ୍ରେଡ଼ କରାଯାଇଛି । ୨୮ ହଜାର ଶିକ୍ଷକ ନିଯୁକ୍ତି ଦେବାର ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |