ଆଜି ପ୍ରୟାଗରାଜରେ ଅମୃତ ସ୍ନାନ

ପ୍ରୟାଗରାଜ, ୧୨।୨  : ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ବର୍ତ୍ତମାନ ମହାକୁମ୍ଭ ଚାଲିଛି। ଆଜି ମାଘ ପୂର୍ଣ୍ଣିମା ଅବସରରେ ମହାକୁମ୍ଭରେ ପଞ୍ଚମ ଅମୃତ ସ୍ନାନ ଅନୁଷ୍ଠିତ ହେଉଛି। ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼ । ପଞ୍ଚମ ଅମୃତ ସ୍ନାନ ପାଇଁ ମେଳା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ମହାକୁମ୍ଭରେ ଆଜିକୁ ମିଶାଇ ଦୁଇଟି ପ୍ରମୁଖ ବୁଡ଼ ରହିଛି । ଆଜି ମାଘ ପୂର୍ଣ୍ଣିମା ବୁଡ଼ ଥିବା ବେଳେ ମହାଶିବରାତ୍ରୀରେ ଆଉ ଏକ ପ୍ରମୁଖ ବୁଡ଼ ରହିଛି । ସଙ୍ଗମରେ ପ୍ରାୟ ୪ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଜାନୁଆରୀ ୨୯ (ମୌନି ଅମାବସ୍ୟା) ଅବସରରେ ତୃତୀୟ ଅମୃତ ସ୍ନାନ ଆୟୋଜିତ ହୋଇଥିବାବେଳେ ମହାକୁମ୍ଭରେ ଦଳାଚକଟା ଘଟି ୩୦ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିଥିଲା। ତେଣୁ ଆଜି ଯେଭଳି ସେପରି ଅଘଟଣ ନଘଟେ,  ସେଥିପ୍ରତି ପୁଲିସ ଓ ପ୍ରଶାସନ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛି। ଏଥିପାଇଁ ମଙ୍ଗଳବାର ଅପରାହ୍ଣରୁ ପ୍ରୟାଗରାଜକୁ ‘ନୋ ଭେହିକିଲ ଜୋନ୍‌’ ଘୋଷଣା କରାଯାଇଛି। ଅର୍ଥାତ୍‌ ଉତ୍ତର ପ୍ରଦେଶର ଅନ୍ୟ ସହର ଏବଂ ରାଜ୍ୟ ବାହାରୁ ଆସୁଥିବା କୌଣସି ଚାରି ଚକିଆ ଯାନଗୁଡିକର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଅବଶ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ ଯାନଗୁଡିକୁ ଏଭଳି କଟକଣାରୁ ବାଦ ଦିଆଯାଇଛି। ବାହାର ରାଜ୍ୟରୁ ପ୍ରୟାଗରାଜ ଆସୁଥିବା ଶ୍ରଦ୍ଧାଳୁଙ୍କ ନିମ​‌ନ୍ତେ ପ୍ରୟାଗରାଜ ସହର ଉପକଣ୍ଠସ୍ଥ ବିଭିନ୍ନ ମାର୍ଗରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଅମୃତ ସ୍ନାନ ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଡ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାର୍ଗଦର୍ଶିକା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରାଫିକ କଟକଣା ଲାଗୁ କରାଯିବା ଦ୍ବାରା ଶ୍ରଦ୍ଧାଳୁମାନେ ଅନାୟାସରେ ବୁଡ ପକାଇ ପାରିବେ ବୋଲି ଆଶା କରାଯାଉଛି।ଅପରପକ୍ଷରେ କଳ୍ପବାସୀଙ୍କ ପାଇଁ ମଧ୍ୟ ଏହି କଟକଣା ପ୍ରଯୁଜ୍ୟ ହେବ ବୋଲି ଜଣାପଡିଛି। ମହାକୁମ୍ଭରେ ନିର୍ଦିଷ୍ଟ ଦିନ ପର୍ଯ୍ୟନ୍ତ ବାସ କରୁଥିବା ଶ୍ରଦ୍ଧାଳୁଙ୍କୁ କଳ୍ପବାସୀ କୁହାଯାଇଥାଏ। କଳ୍ପବାସୀମାନେ ଗଙ୍ଗାକୂଳରେ ବାସ କରିବା ସହ ଆଧ୍ୟାତ୍ମିକ ଶକ୍ତି ଉପଲବ୍ଧ କରିବାକୁ ଉପବାସ କରିଥାନ୍ତି। ଚଳିତ ମହାକୁମ୍ଭରେ ପ୍ରାୟ ୧୦ ଲକ୍ଷ କଳ୍ପବାସୀ ସଙ୍ଗମରେ ଡେରା ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଙ୍ଗମ ଘାଟରୁ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଡାକ୍ତରଖାନା ନେବା ପାଇଁ ଗ୍ରୀନ୍‌ କରିଡର ବ୍ୟବସ୍ଥା କରାଯାଇଛି। ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ବୁଧବାର ପ୍ରୟାଗରାଜରେ ଫେବୃଆରୀ ୧୨ ପର୍ଯ୍ୟନ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ପାଠପଢାକୁ ବାତିଲ କରାଯାଇଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଅମୃତ ସ୍ନାନ ଆୟୋଜନକୁ ନେଇ ଉଚ୍ଚପଦସ୍ଥ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗୁଜବ ସୃଷ୍ଟି କରୁଥିବା କିମ୍ବା କଟକଣାକୁ ବେଖାତିର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!