କଟକ,୨୧।୨ : ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମାଟ୍ରିକ୍ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ମିନିଟରେ ସରିବ। କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷା ଶୁକ୍ରବାର ଆରମ୍ଭ ହେବ। ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ର ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି। ସିସିଟିଭି ନଜରରେ ସବୁ ପରୀକ୍ଷାକେନ୍ଦ୍ର ରହିଥିବାବେଳେ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏ.ଆଇ . କ୍ୟାମେରା ସ୍ଥାପନ କରାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ଜିଲାସ୍ତରରେ ୨ଟି ଏବଂ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ବାଡ୍ ଗଠନ କରାଯାଇଛି। ଅନ୍ୟବର୍ଷ ଭଳି ଏଥର ମଧ୍ୟ ଜିଲାରେ ମାଟ୍ରିକ ପରୀକ୍ଷାଫଳ ଭଲ ରହିବ ବୋଲି ସଭିଏ ମନରେ ଆଶା ବାନ୍ଧିଛନ୍ତି। ଗୋଟିଏ ପଟେ ବିଗତବର୍ଷ ତୁଳନାରେ ଜିଲାରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ିଛି। କିନ୍ତୁ ଅନ୍ୟପଟେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏଥର ହ୍ରାସ ପାଇଛି। ଏହା ବର୍ତ୍ତମାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ନୋଡାଲ୍ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ଚୟନ ହୋଇଛି। ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍ ସେଣ୍ଟର ସ୍ଥିର ହୋଇଛି। ମାଟ୍ରିକ ପରୀକ୍ଷାରେ ୫,୧୦,୭୭୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୨୯୭୯ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ମଧ୍ୟମାରେ ୭୭୬୬ ପରୀକ୍ଷାର୍ଥୀଙ୍କ ପାଇଁ ୧୦୨ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୭୫୨ ଜଣ ପରୀକ୍ଷାର୍ଥୀ ଓ ୫୨ଟି ପରୀକ୍ଷା କେନ୍ଦ୍ର ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |