ଭୁବନେଶ୍ୱର,୩ା୩: ଖୁବଶୀଘ ନୂଆ ଏନକ୍ଲୋଜରକୁ ଯିବ ବାଘୁଣୀ ଜିନ୍ନତ । ଏହା ପାଇଁ ଏକ ନୂଆ ଏନକ୍ଲୋଜର ତିଆରି ହୋଇଥିବା ପିସିସିଏଫ୍ କହିଛନ୍ତି । ଏନକ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜଙ୍ଗଲରେ ଛଡ଼ାଯିବ । ଜିନ୍ନତ ଏବେ ପୁରା ସୁସ୍ଥ । ସେ ବର୍ତ୍ତମାନ ସବୁୁ ଶିକାର କରିପାରୁଛି ବୋଲି ପିସିସିଏଫ୍ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି।ଗତ ନଭେମ୍ବରରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି କାବୁ କରା ଯାଇଥିଲା । ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ମଇଁଷିର ଲୋଭ ଦେଖାଇ ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସକ୍ଷମ ହୋଇଥିଲେ ବନ କର୍ମଚାରୀ ।ଜିନ୍ନତର ବୟସ ଏବେ ୩ ବର୍ଷ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଜିନ୍ନତ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ପଶ୍ଚିମବଙ୍ଗରେ ଏହା ପ୍ରଥମେ ଝାରଗ୍ରାମ ଜିଲା ଓ ପରେ ପୁରୁଲିଆରେ ପ୍ରବେଶ କରିଥିଲା। ଏହାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |