ଭୁବନେଶ୍ୱର,୮।୩:ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହ୍ବାଟ୍ସଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଛନ୍ତି। ଏଥିରେ ୪୨୯ରୁ ଅଧିକ ବିଭିନ୍ନ ସରକାରୀ ସେବା ଉପଲବ୍ଧ ହେବ। ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟକ୍ରମେ ସମସ୍ତ ସରକାରୀ ସେବା ଏହା ପ୍ରଦାନ କରିବ।ଏହି ଚାଟ୍ବଟ୍ ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟ୍ସଆପ୍ ବ୍ୟବହାରରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ହୋଇଛି।ୟୁନିଫାଏଡ୍ ହ୍ବାଟ୍ସଆପ୍ ଚାଟବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ସମନ୍ୱିତ କରିବ। ଯଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ।ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଦିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ।ସିଏମଜିଆଇର କାର୍ୟ୍ୟନିର୍ବାହୀ ନିର୍ଦେଶକ ବିନୀତ ଭରଦ୍ୱାଜ କହିଛନ୍ତି ଯେ, ୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ବାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଯଦ୍ୱାରା ନାଗରିକମାନେ ଟେକ୍ସଟ୍ ଏବଂ ଭଏସ୍ ମାଧ୍ୟମରେ ସେଗୁଡ଼ିକରେ ପ୍ରବେଶ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ। ମେଟା ଇଣ୍ଡିଆର ବିଜିନେସ୍ ମେସେଜିଂ ନିର୍ଦେଶକ ରବି ଗର୍ଗ କହିଛନ୍ତି, ହ୍ୱାଟ୍ସଆପ୍ର ସହଜତା ଓ ସରଳତା ଯୋଗୁ ଲୋକ ବନ୍ଧୁ ଓ ପରିବାର ସହ ଯୋଗାଯୋଗଠାରୁ ଆରମ୍ଭ କରି ଟିକଟ ବୁକିଂ, ବିଲ୍ ପୈଠ ଏବଂ ସର୍ବସାଧାରଣ ସେବା ପାଇବା ପର୍ଯ୍ୟନ୍ତ କାମ କରିବାକୁ ପସନ୍ଦ କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |