ବିଜାପୁର,୨୦।୩: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମାରେ ନିପାତ ହୋଇଛନ୍ତି ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ପୃଥକ ପୃଥକ ୨ଟି ସ୍ଥାନରେ ଟଳିଲେ ୨୨ ନକ୍ସଲ। ଏଥିସହ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ବିଜାପୁରରେ ୧୮ ଜଣ ଓ କାଙ୍କେର ଠାରେ ୪ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରିଛନ୍ତି।ଗୁରୁବାର ସକାଳେ ସୁରକ୍ଷାକର୍ମୀ ବିଜାପୁର ଓ ଦନ୍ତେୱାଡ଼ାର ସହରଦି ଥାନା ଗଙ୍ଗାଲୁର ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ । ସେହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଦୁଇଟି ପୃଥକ ପୃଥକ ଏନ୍କାଉଣ୍ଟରରେ ୨୨ ମାଓବାଦୀ ନିହତ ହୋଇଛନ୍ତି ।ବିଜାପୁରରେ ୧୮ ମାଓବାଦୀ ନିହତ ହୋଇଥିବା ବେଳେ କାଙ୍କେରରେ ୪ ନକ୍ସଲ ନିପାତ ହୋଇଛନ୍ତି । ଏହି ଗୁଳି ବିନିମୟରେ ବିଜାପୁରର ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ ।ଏହା ପୂର୍ବରୁ ଗତ ସପ୍ତାହରେ ଛତିଶଗଡ଼ ବିଜାପୁର ପୋଲିସ ନିକଟରେ ୧୭ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ପ୍ରତିବନ୍ଧିକ ମାଓ ସଂଗଠନ ଗଙ୍ଗାଲୁକ ଏରିଆ କମିଟିର ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରୁଥିଲେ ବୋଲି ପୋଲିସ ସୂଚନା ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |