ରାୟଗଡ଼ା,୮।୭ :ଖୋଲିଲା ମା ମଝିଘରିଆଣି ମନ୍ଦିର ଦାନହୁଣ୍ଡି| ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ୯ଟି ଦାନ ହୁଣ୍ଡି ଚଳିତ ବର୍ଷ ଗତ ଜାନୁଆରୀ ୨୭ତାରିଖରେ ଖୋଲା ଯାଇଥିବା ବେଳେ ୬ ମାସ ବ୍ୟବଧାନ ପରେ ଆଜି ପୁଣି ଖୋଲା ଯାଇଥିଲା । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ସହ ପୁଲିସଙ୍କ ତତ୍ବାବଧାନରେ କଡା ସୁରକ୍ଷା ବଳୟ ମଧ୍ୟରେ ସମସ୍ତଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଂଟିକା ସମୟରୁ ଖୋଲାଯାଇ ରାତ୍ର ୮ଟା ଯାଏଁ ଗଣତି ଚାଲିଥିଲା । ଯେଉଁଥିରୁ ନଗଦ ୧ କୋଟି ୪ଲକ୍ଷ ୩୬ହଜାର ୯୬୩ ଟଙ୍କା ବାହାରିଥିଲା । ଏଥିସହ ଯୁନାଇଟେଡ଼ ଷ୍ଟେଟସଅଫ ଆମେରିକା,ସେଣ୍ଟ୍ରାଲ ବ୍ୟାଙ୍କ ଅଫ କୁଏତ,କ୍ଵାତାର, ଆରବ ରିମିରାଟେସ ଭଳି ଦେଶର ୧୨ଟି ବିଦେଶୀ ଡଲାର ସହିତ ୩୮ଗ୍ରାମ ସୁନା ଓ ୨. ୫୦୫କେଜି ରୁପା ବାହାରିଥିଲା ।ଏତେ ପରିମାଣର ଦାନ ରାଶି ପୂର୍ବରୁ କେବେ ବାହାରି ନ ଥିବାରୁ ଆଜି ଏହା ରେକର୍ଡ କରିଛି ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ରାଧାକାନ୍ତ ଦଳେଇ ପ୍ରକାଶ କରିଛନ୍ତି । ଆଜି ମନ୍ଦିର ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେଵୀ ସଦସ୍ୟସଦସ୍ୟା ଓ କିଛି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବିଭିନ୍ନ ଏସଏଚଜି ଗ୍ରୁପ ମହିଳା ସଦସ୍ୟ ମାନେ। ଚଳିତ ଥର ୯୦ ଲକ୍ଷରୁ ୧ କୋଟି ଟଙ୍କା ମିଳିବ ବୋଲି ଆଶା ରଖିଥିଲା ମନ୍ଦିର କମିଟି ।ଗତ ୬ ମାସ ତଳେ ଅର୍ଥାତ ଜାନୁଆରୀ ୨୭ ତାରିଖ ଦିନ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ହୁଣ୍ଡିରୁ ମିଳିବା ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯିବ ଏବଂ ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |