ଘୋଡ଼ା ମରାମତି ଶେଷ, ରଙ୍ଗ କାର୍ଯ୍ୟରେ ବ୍ୟସ୍ତ ଚିତ୍ରକାର ସେବକ

  • ତିନି ରଥରେ ଲାଗିଲା ମଣ୍ଡଣି ବତା ଓ କନିଆପଟା

  • ସିଂହାସନ ବେଦି ବାହାରେ ଆଙ୍କିଲା ଗାଈଗୋଠ ଚିତ୍ର, ଦର୍ଜି ସେବକଙ୍କ ବିଳାସ ପଟି ଫିଟିଂ ଶେଷ

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଜି ୭୭ ତମ ଦିବସରେ ପହଞ୍ଚିଛି। ଶ୍ରୀମନ୍ଦିର ପ୍ରଶାସନର ସମୟସୀମା ଅନୁଯାୟୀ, ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତିନି ରଥର କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେଉଛନ୍ତି। ଆଜି ମହାରଣା ଓ ଭୋଇ ସେବକଙ୍କ ମିଳିତ ସହଯୋଗରେ ତିନି ରଥର ଉପର ପାର୍ଶ୍ୱ କୋଣଗୁଡ଼ିକରେ କଣି ଫାଉଡ଼ି ସଂଯୋଗ କାର୍ଯ୍ୟ ସଫଳତାର ସହ ଶେଷ ହେବା ସହିତ ଏହା ଉପରେ ମଣ୍ଡଣି ବତା ଲଗାଯାଇଛି। ରଥ ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣି ବତା ପକାଯାଇ ଫିଟିଂ କରାଯିବା ସହ ରଥ ଦଣ୍ଡାରେ କନିଆପଟା ସଂଯୋଗ କରାଯାଇଛି।

ଦେବୀ ରଥର ଘୋଡ଼ା ଗୋଡ଼ ବଦଳାଗଲା

ଅପରପକ୍ଷରେ, ରୂପକାର ସେବକମାନେ ରଥର ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ ପୂର୍ବରୁ ସେଗୁଡ଼ିକର ମରାମତି ଯାଞ୍ଚ କରିଛନ୍ତି। ମା ମହାଲକ୍ଷ୍ମୀ/ସୁଭଦ୍ରାଙ୍କ ଦେବୀ ରଥ (ଦର୍ପଦଳନ) ର ଗୋଟିଏ ଘୋଡ଼ାର ପଛ ଗୋଡ଼ ସମ୍ପୂର୍ଣ୍ଣ ବଦଳାଯିବାର ଆବଶ୍ୟକତା ଥିବାରୁ, ରୂପକାର ସେବକମାନେ ଉକ୍ତ ଘୋଡ଼ାର ପଛ ବାମ ପାର୍ଶ୍ୱ ଗୋଡ଼ର ନୂତନ ନିର୍ମାଣ ଶେଷ କରିଛନ୍ତି। ବର୍ତ୍ତମାନ ଘୋଡ଼ାରେ ଏହାର ଫିଟିଂ ସହ ପୁଟୁଣି ମରା କାର୍ଯ୍ୟ ଚାଲିଛି ଏବଂ ଏହାକୁ ରଙ୍ଗ କରିବା ପାଇଁ ଚିତ୍ରକାର ସେବକଙ୍କୁ ହସ୍ତାନ୍ତର କରାଯାଇଛି। ରୂପକାର ସେବକମାନେ ରଥ ସାରଥିଙ୍କ ଗୋଡ଼ ସଂଯୋଗ ସ୍ଥାନରେ ସାରଥି ବାଗିଆ କଣ୍ଟା ବାଡ଼ିଆ ମରାମତି କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିଛନ୍ତି।

ଗ୍ରାଫିକ୍ସ ଓ ରଙ୍ଗ କାର୍ଯ୍ୟ ଜୋରଦାର

ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକାର ସେବକମାନେ ପ୍ରଭାଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ କରିବା ସହ ସାରଥିଙ୍କ ଉପର ଭାଗର ରଙ୍ଗ କାମ ସାରିଛନ୍ତି। ଏବେ ସାରଥିମାନଙ୍କର ତଳଭାଗ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସହିତ ସିଂହାସନ ବେଦିର ବାହାର ପାର୍ଶ୍ୱରେ ଚିତ୍ରକାର ସେବକମାନଙ୍କ ଦ୍ୱାରା ଆକର୍ଷଣୀୟ ଗାଈଗୋଠ ଚିତ୍ର ଅଙ୍କାଯାଇଛି ଏବଂ ରଥର ବାହ୍ୟ ଅଂଶଗୁଡ଼ିକରେ ରଙ୍ଗ କାମ ଜାରି ରହିଛି। ଅନ୍ୟପଟେ ଦର୍ଜି ସେବକମାନେ ବତା କନାରେ ବିଳାସ ପଟି ଫିଟିଂ କାର୍ଯ୍ୟ ଶେଷ କରିଥିବା ବେଳେ ଦୁଆର ବେଢ଼ା ଚନ୍ଦ୍ରଶାଳିରେ ସୁନ୍ଦର ଫୁଲ ପକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!