ସଡ଼କ ଦୁର୍ଘଟଣା ରୋକିବାକୁ କଠୋର ହେଲା ଏସ୍ଟିଏ:
-
କେବଳ ଜରିମାନାରେ ସରିବନି କାର୍ଯ୍ୟାନୁଷ୍ଠାନ, ମୋଟର ଯାନ ଆଇନର ଧାରା ୨୦୭ ଅଧୀନରେ ହେବ ଜବତ
-
ସବୁ କାଗଜପତ୍ର ବୈଧ ବୋଲି ପ୍ରମାଣିତ କଲେ ହିଁ ଗାଡ଼ି ମୁକୁଳାଇପାରିବେ ମାଲିକ
କଟକ: ରାଜ୍ୟରେ ଉଦ୍ବେଗଜନକ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଉପରେ ଲଗାମ୍ କଷିବା ଏବଂ ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) ଏକ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଣିକି ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କେବଳ ଆର୍ଥିକ ଜରିମାନା କରାଯାଇ ଛାଡ଼ି ଦିଆଯିବ ନାହିଁ। ଯଦି କୌଣସି ଗାଡ଼ିର ବୈଧ ଫିଟ୍ନେସ୍ (F), ପରମିଟ୍ (P) କିମ୍ବା ରେଜିଷ୍ଟ୍ରେସନ୍ (R) ନଥିବ, ତେବେ ମୋଟର ଯାନ ଆଇନ ଅନୁଯାୟୀ ସେହି ଗାଡ଼ିଗୁଡ଼ିକୁ ସଙ୍ଗେ ସଙ୍ଗେ ଜବତ କରାଯିବ ବୋଲଇ ଏସ୍ଟିଏ ପକ୍ଷରୁ ସମସ୍ତ ଆର୍ଟିଓ (RTO), ଏଆର୍ଟିଓ (ARTO) ଏବଂ ଏନ୍ଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
୧.୬୪ ଲକ୍ଷ ଚାଲାଣ କଟିଛି, ମାତ୍ର ଗାଡ଼ି ଜବତ ମାତ୍ର ୪୨୮
ନିକଟରେ ଗତ ଏପ୍ରିଲ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ହୋଇଥିବା ଏନ୍ଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷାରୁ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନର ଧାରା ୧୯୨ ଅଧୀନରେ ସାରା ରାଜ୍ୟରେ ବିପୁଳ ପରିମାଣର ଅର୍ଥାତ୍ ୧ ଲକ୍ଷ ୬୪ ହଜାର ୮୮୨ଟି ଇ-ଚାଲାଣ ଜାରି ହୋଇଛି। ମାତ୍ର ଏହାର ତୁଳନାରେ ଧାରା ୨୦୭ ଅନୁଯାୟୀ ଗାଡ଼ି ଜବତ ସଂଖ୍ୟା ମାତ୍ର ୪୨୮ ରହିଛି, ଯାହା ଅତି ନଗଣ୍ୟ। ଏସ୍ଟିଏ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, କେବଳ ଚାଲାଣ କାଟି ଅଯୋଗ୍ୟ ଏବଂ ଅନୁପଯୁକ୍ତ ଗାଡ଼ିଗୁଡ଼ିକୁ ରାସ୍ତାରେ ଛାଡ଼ିଦେବା ଦ୍ୱାରା ସଡ଼କ ସୁରକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏଭଳି ଗାଡ଼ିଗୁଡ଼ିକ ବିନା ସୁଧାରରେ ପୁଣି ଥରେ ରାସ୍ତାକୁ ଓହ୍ଲାଉଛନ୍ତି ଏବଂ ଦୁର୍ଘଟଣା ଘଟାଇ ନିରୀହ ଧନଜୀବନ ହାନିର କାରଣ ସାଜୁଛନ୍ତି।
ଅଧିକାରୀଙ୍କୁ ଉତ୍ତରଦାୟୀ କଲା ଏସ୍ଟିଏ
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯଦି କୌଣସି ଏନ୍ଫୋର୍ସମେଣ୍ଟ ଅଧିକାରୀ ଏଭଳି ନିୟମ ଖିଲାପକାରୀ ଗାଡ଼ିକୁ ଜବତ କରୁଛନ୍ତି କିମ୍ବା ନ କରୁଛନ୍ତି, ତେବେ ଉଭୟ କ୍ଷେତ୍ରରେ ସେମାନଙ୍କୁ ନିଜ କାର୍ଯ୍ୟାନୁଷ୍ଠାନର ଉଚିତ କାରଣ ଦର୍ଶାଇବାକୁ ପଡ଼ିବ। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ପୋଲିସ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ‘ବାହାନ ପୋର୍ଟାଲ୍’ ଏବଂ ‘ଇ-ଚାଲାଣ ଡ୍ୟାସ୍ବୋର୍ଡ’ରେ ଆଲର୍ଟ ବ୍ୟବସ୍ଥାର ସହାୟତା ମଧ୍ୟ ନିଆଯାଉଛି। ଜବତ ହୋଇଥିବା ଗାଡ଼ିର ମାଲିକ ଯେ ପର୍ଯ୍ୟନ୍ତ ନିଜର ସମସ୍ତ କାଗଜପତ୍ର ବୈଧ ବୋଲି କାର୍ଯ୍ୟାଳୟରେ ପ୍ରମାଣିତ ନ କରିଛନ୍ତି, ସେପର୍ଯ୍ୟନ୍ତ ଗାଡ଼ି ମୁକୁଳାଇ ପାରିବେ ନାହିଁ।
ସରକାରଙ୍କ ନିର୍ଦ୍ଦେଶ: ସଡ଼କ ସୁରକ୍ଷା ଏକ ‘ମିସନ୍’
ରାଜ୍ୟ ପରିବହନ ପ୍ରାଧିକରଣ ସୂଚନା ଦେଇଛି ଯେ, ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ସରକାର ଏକ ‘ମିସନ୍’ ଭାବେ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ମଧ୍ୟ ସଡ଼କ ଦୁର୍ଘଟଣା ରୋକିବାକୁ ରାସ୍ତାକଡ଼ରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ଭଳି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ଫିଟ୍ନେସ୍ରେ ଗାଡ଼ି ଚଳାଇ ଅନ୍ୟମାନଙ୍କ ଜୀବନକୁ ବିପଦରେ ନ ପକାଇବାକୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ସଡ଼କ ସୁରକ୍ଷା ନିୟମ ଅକ୍ଷର ଅକ୍ଷର ପାଳନ କରିବାକୁ ଏସ୍ଟିଏ ପକ୍ଷରୁ ଅନୁରୋଧ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |