ସମ୍ବଲପୁର,୯।୦୭ : ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସିତ ହୋଇଛି। ସକାଳ ୧୧ଟା ପରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି | ପରମ୍ପରା ଅନୁସାରେ ପ୍ରଥମେ ହୀରାକୁଦ ପଟୁ ୭ ନମ୍ବର, ପରେ ଆବଶ୍ୟକତା ଅନୁସାରେ ଅନ୍ୟ ଗେଟ୍ ଖୋଲାଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ୪ଟି ଗେଟ(ବାମ ପାର୍ଶ୍ୱରୁ ୩ଟି, ଡାହାଣ ପାର୍ଶ୍ୱରୁ ୧ଟି) ଖୋଲାଯାଇଥିବାବେଳେ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୩ ଫୁଟ ରହିଛି | ୧ ଲକ୍ଷ ୪୧ ହଜାର ୪୩୮ କ୍ୟୁସେକ ପାଣି ହୀରାକୁଦକୁ ପ୍ରବେଶ କରୁଥିବାବେଳେ ସାଧାରଣତଃ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟାଜଳ ଖଇରମାଳ ଏବଂ ବରମୁଳ ପହଞ୍ଚିବା ପାଇଁ ୧୨ରୁ ୧୬ ଘଣ୍ଟା ଲାଗିଯାଏ। ୩୬ରୁ ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡଳିରେ ପହଞ୍ଚିଥାଏ।ହୀରାକୁଦ ନଦୀବନ୍ଧରେ ୨ ଦିନଭିତରେ ଜଳସ୍ତର ୯ଫୁଟ୍ ବୃଦ୍ଧି ପାଇଛି। ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍ ଥିବା ବେଳେ ପ୍ରାୟ ୪୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଥିଲା କିନ୍ତୁ ବୁଧବାର ସନ୍ଧ୍ୟା ୬ଟାରେ ୬୧୨.୯୭ଫୁଟ୍ ଜଳସ୍ତର ରହିଛି। ଏହି ସମୟରେ ନଦୀବନ୍ଧକୁ ସେକେଣ୍ଡ୍ ପ୍ରତି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍ ଜଳ ପ୍ରବେଶ କରୁଛି। ଉପରମୁଣ୍ଡ କଲ୍ମା ବ୍ୟାରେଜ୍ରେ ୬୧ଟି ଫାଟକ ଖୋଲାଥିବା ହେତୁ ଜଳପ୍ରବେଶ ଏଭଳି ଭାବେ ବୃଦ୍ଧି ପାଇଥିବା କୁହାଯାଉଛି। ତେବେ ଜଳପ୍ରବେଶ କ୍ରମଶଃ ହ୍ରାସ ପାଉଛି। ବୁଧବାର ମଧ୍ୟାହ୍ନରେ
୨ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଘଣ୍ଟା ଭିତରେ ତାହା ୨୦ ହଜାର କ୍ୟୁସେକ ଯାଏ ହ୍ରାସ ପାଇଛି। ବର୍ଷା ହେଉନଥିବା ହେତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ନଦୀବନ୍ଧରେ ବନ୍ୟାଜଳ ନିଷ୍କାସନକୁ ନେଇ ପୂର୍ବରୁ ମହାନଦୀ ତଟବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଥିଲା। ସେହିପରି, ବୁର୍ଲା, ସମ୍ବଲପୁର ଅଞ୍ଚଳରେ ମାଇକ୍ ଜରିଆରେ ମହାନଦୀ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ସତର୍କ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |