ମେଡିକାଲ କଲେଜ ପ୍ରତିଷ୍ଠା  ଦାବି, ପ୍ରଶାସନର ବିରୋଧ ସତ୍ତ୍ୱେ ଗଣଧାରଣା 

କେନ୍ଦ୍ରାପଡ଼ା, ୫ା୯(ଓଡିଆନ): କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଦୀର୍ଘ ୨ବର୍ଷରୁ ଅଧିକ କାଳ ଧରି ଆନ୍ଦୋଳନ ଚାଲିଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନା ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ସକରାତ୍ମକ ନିଷ୍ପତ୍ତି ନେଲେ ନାହିଁ । ଫଳରେ କ୍ରିୟାନୁଷ୍ଠାନ କମିଟି ଗୁରୁଦିବସଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗରାପୁରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ୪ତାରିଖ ସନ୍ଧ୍ୟାରେ ପ୍ରଶାସନ ଆନ୍ଦୋଳନ ଭୟରେ ଧାରଣା ପାଇଁ ଅନୁମତି ଦେବାକୁ ଅଗ୍ରାହ୍ୟ କରିଦେଲେ । ମାତ୍ର ଆଜି ସକାଳୁ ସକାଳୁ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶତାଧିକ ଲୋକେ ସେଠାରେ ପହଞ୍ôଚ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ଜିଲ୍ଲାବାସୀଙ୍କ ନ୍ୟାୟୋଚିତ ଦାବି ହାସଲ ନିମନ୍ତେ ସମସ୍ତ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ବଜ୍ର ଶପଥ ନେବା ସହ ସେହିଠାରେ ଗଣଧାରଣାରେ ବସିଥିଲେ । ଆସନ୍ତାକାଲିଠାରୁ ପ୍ରତୀକ ଧାରଣା ଚାଲୁ ରଖିବା ପାଇଁ ଘୋଷଣା କରିଥିଲେ । ଏହା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଚେତନ ନ ହେଲେ ଆସନ୍ତା ୨୨ତାରିଖ ବିଧାନସଭା ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ରାପଡାରେ ଅର୍ଥନୈତିକ ଅବରୋଧ କରାଯାଇ ସରକାରଙ୍କୁ ମୁକାବିଲା କରାଯିବ ବୋଲି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସମେତ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ଭାଗୀରଥି ଜେନା, ରାଜକିଶୋର ବିଶ୍ୱାଳ, ଅଧ୍ୟାପକ ଗୋଲକ ପ୍ରସାଦ ମହାଭୋଇ, ସୀତାକାନ୍ତ ନାୟକ, ଅଭିମନ୍ୟୁ ରାଉତ, ପ୍ରଦୀପ ଦାଶ, କୃଷ୍ଣଚନ୍ଦ୍ର ରାଉତ, ନରୋତ୍ତମ ପାର୍ଥସାରଥୀ, ରବିନ୍ଦ୍ରନାଥ ରଥ, ଲୋହିତ ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ଦାଶରଥୀ ସାହୁ, ଅମର ପ୍ରସାଦ ରାଉତ, ଅକ୍ରୁର ପଲାଇ, କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, ରାଧାକାନ୍ତ ଅଧିକାରୀ, ନରୋତ୍ତମ ଜେନା, କୁଳମଣୀ ନାୟକ, ରମେଶ ଚନ୍ଦ୍ର ନାୟକ, ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!