କେରଳରେ ନିପା ଭାଇରସ୍ ଆତଙ୍କ

ଥିରୁବନନ୍ତପୁରମ୍,୧୫/୯:କେରଳରେ ନିପା ଭାଇରସ୍ ଆତଙ୍କ। କେରଳର କୋଝିକୋଡ଼ ଜିଲ୍ଲାରେ ପୁଣି ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ଏହି ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କେରଳ ସରକାର ହାଇ ଆଲର୍ଟ ମୋଡ୍‌ରେ ରହିଛନ୍ତି। ୨୦୧୮ ପରେ ଏହି ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି। କେରଳରେ ବ୍ୟାପୁଥିବା ଏହି ନିପା ଭାଇରସର ଷ୍ଟ୍ରେନ୍ ବାଙ୍ଗଲାଦେଶ ଭେରିଏଣ୍ଟ ବୋଲି ଜଣାପଡ଼ିଛି। ତେବେ ଏହି ମାରାତ୍ମକ ନିପା ଭାଇରସ ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞର ଏକ ଟିମ୍ କେରଳରେ କଡ଼ା ନଜର ରଖିଛନ୍ତି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ୩୯ ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଅବଜରଭେସନରେ ରଖାଯାଇଛି। ସେହିଭଳି ଗୁରବାର କୋଝିକୋଡ଼ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଜଣେ ୨୪ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରେ ଭୂତାଣୁ ଚିହ୍ନଟ ହେବା ପରେ ସେହି ହସ୍ପିଟାଲରେ ଅନ୍ୟ ୭୭ ଜଣଙ୍କୁ ହାଇ ରିସ୍କ କ୍ୟାଟେଗୋରୀରେ ରଖାଯାଇଛି। ଏବେ ସେମାନଙ୍କର କାହାର ବି ଲକ୍ଷଣ ଦେଖାଯାଇନାହିଁ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ନିପା ଭୂତାଣୁ ସଙ୍କ୍ରମଣର ଚିକିତ୍ସା ପାଇଁ ଆବଶ୍ୟକ ମୋନୋକ୍ଲୋନାଲ ଆଣ୍ଟିବଡି ଔଷଧ କେରଳକୁ ପଠାଯାଇଛି। ଏହି ଔଷଧ ଏପରର୍ଯ୍ୟନ୍ତ କ୍ଲିନିକାଲ ଭାବେ ପ୍ରମାଣିତ ହୋଇନଥିଲେ ମଧ୍ୟ ନିପା ଭୂତାଣୁ ସଙ୍କ୍ରମଣ ପାଇଁ ଏହି ଔଷଧକୁ ବ୍ୟବହାର କରାଯାଉଛି। ଏବଂ ଅଧିକ ନମୁନା ଟେଷ୍ଟିଂ ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର ବାୟୋଟେକ୍ନୋଲୋଜି ପକ୍ଷରୁ କେରଳର କୋଜିକୋଡେ ଜିଲ୍ଲାକୁ ମୋବାଇଲ ଟେଷ୍ଟିଂ ଭ୍ୟାନ ପଠାଯାଇଛି।

ନିପା ଭାଇରସ୍ କଣ, କାହିଁକି ଏହି ରୋଗ ବ୍ୟାପେ, ଏହାର ଲକ୍ଷଣ ବାବଦରେ ଜାଣନ୍ତୁ

ସଙ୍କ୍ରମିତ ବାଦୁଡ଼ି ଓ ଘୁଷୁରିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ ମଣିଷ ଏହି ଭୂତାଣୁରେ ସଙ୍କ୍ରମିତ ହୋଇଥାଏ। ପରେ ମଣିଷଠାରୁ ମଣିଷକୁ ନିପା ଭାଇରସ୍ ବ୍ୟାପିଥାଏ। ଏହାକୁ ଜୁନୋଟିକ୍ ଭାଇରସ୍ ମଧ୍ୟ କୁହାଯାଏ। ଏହାର ଅନେକ ଲକ୍ଷଣ ଠିକ୍ ସାଧାରଣ ଭାଇରାଲ୍ ଜ୍ୱର ପରି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) କହିବା ଅନୁସାରେ ସଙ୍କ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଯାଇଥାଏ। ସେହିଭଳି ନିପା ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଜଣେ ବ୍ୟକ୍ତିଙ୍କଠାରେ ଏହାର ଲକ୍ଷଣ ୫ରୁ ୧୫ ଦିନ ପର୍ଯ୍ୟନ୍ତ ଦେଖାଯାଏ। ପ୍ରାୟ ୭୦ପ୍ରତିଶତ ମୃତ୍ୟୁ ହାର ଥିବା ନିପା ଭାଇରସର ସଙ୍କ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ହୋଇନାହିଁ। ସହିଭଳି ୨୦୧୮ରେ କେରଳରେ ନିପା ଭାଇରସ୍ ବ୍ୟାପିବା ଯୋଗୁ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!