ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ହରାଇ ୮ମ ଥର ପାଇଁ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ। ମହମ୍ମଦ ସିରାଜଙ୍କ ୬ ୱିକେଟ ସଫଳତା ବଳରେ ଭାରତୀୟ ଟିମ ଘରୋଇ ଶ୍ରୀଲଙ୍କାକୁ ଏକ ତରଫା ଭାବେ ୧୦ ୱିକେଟରେ ହରାଇ ଦେଇଛି। ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟ(୩ ୱିକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା ନ କରି ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି। ଟାର୍ଗେଟ ଅତ୍ୟନ୍ତ ଛୋଟ ଥିବାରୁ ଆଜି ଶୁବମନ ଗିଲଙ୍କ ସହ ଈଶାନ କିଶନ ଓପନିଂ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ୬.୧ ଓଭର୍ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ। ୫୦ ଓଭର ବିଶିଷ୍ଟ ମ୍ୟାଚ୍ ହୋଇଥିଲେ ମଧ୍ୟ ଉଭୟ ଦଳ ମିଳିତ ଭାବେ କେବଳ ୨୨ ଓଭର ଖେଳିଛନ୍ତି। ଈଶାନ କିଶନ ୧୮ ବଲରେ ୨୩ ଓ ଗିଲ ୧୯ ବଲରେ ୨୭ ରନ କରି ଶେଷ ଯାଏ ଅପରାଜିତ ରହିଛନ୍ତି। ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |