ନୂଆଦିଲ୍ଲୀ,୨୦।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଖଲିସ୍ତାନୀ ଆତଙ୍କବାଦୀ।ଏହିକ୍ରମରେ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁମାନଙ୍କୁ ତୁରନ୍ତ ସ୍ୱଦେଶ ଫେରି ଯିବାକୁ ଧମକ ଦେଇଛି। ସେ ସମସ୍ତଙ୍କୁ କାନାଡା ଛାଡ଼ିବାକୁ କହିଛି। ପନ୍ନୁ ହେଉଛି ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ(ଏସଏଫଜେ)ର ନେତା।କାନାଡାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ କାନାଡ଼ା ଯିବାକୁ ଚାହୁଁଥିବା ନାଗରିକମାନେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।ଭାରତୀୟ ନାଗରିକମାନେ କାନାଡାର ଯେଉଁ ଅଞ୍ଚଳ ଏବଂ ସମ୍ଭାବ୍ୟ ସ୍ଥାନରେ ଭାରତ ବିରୋଧୀ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି ସେଠାକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଖଲିସ୍ତାନୀ ଗୋଷ୍ଠୀଗୁଡ଼ିକ ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟମାନଙ୍କୁ ଟାର୍ଗେଟ୍ କରିବାକୁ ଖୋଲାଖୋଲି ଧମକ ଦେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ସେଠାରେ ଥିବା ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ମାଧ୍ୟମରେ ଏହି ଆଡଭାଇଜରିକୁ ଜାରି କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କାନାଡାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆମର ହାଇ କମିଶନ/ଦୂତାବାସ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |