କଟକ,୨୯ା୯: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଛି। ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ ପ୍ରବଳ ଧୂଆଁ ହେତୁ ବିଲ୍ଡିଂ ଭିତରକୁ ପଶିପାରୁନାହାନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ବିଲ୍ଡିକୁ ଯେପରି ନିଆଁ ନ ବ୍ୟାପିବ ସେନେଇ ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛନ୍ତି।ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |