ନୂଆଦିଲ୍ଲୀ,,୯ା୧୦: ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ୫ଟି ରାଜ୍ୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ ଆୟୋଗ ।ବାଜିଲା ନିର୍ବାଚନୀ ବିଗୁଲ୍। ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ନୂଆଦିଲ୍ଲୀରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। ଡିସେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର (ସିଇସି)। ମିଜୋରାମ ଓ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୦ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୩୦ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ରାଜସ୍ଥାନରେ ନଭେମ୍ବର ୬ ଓ ତେଲେଙ୍ଗାନାରେ ନଭେମ୍ବର ୧୩ ସରିବ ନାମାଙ୍କନପତ୍ର ଦାଖଲ। ମିଜୋରାମ ଓ ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩ ରହିଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ନଭେମ୍ବର ୨ ରଖାଯାଇଛି। ସେହିଭଳି ରାଜସ୍ଥାନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୯ ରହିଥିବା ବେଳେ ତେଲେଙ୍ଗାନା ପାଇଁ ନଭେମ୍ବର୧୫ ରହିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମତଦାନ ତାରିଖ ଘୋଷଣା କରିବାବେଳେ କହିଛନ୍ତି, ସମସ୍ତ ପାଞ୍ଚଟି ରାଜ୍ୟରେ ୬୭୯ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଏବଂ ମିଜୋରାମରେ ଲିଙ୍ଗ ଅନୁପାତ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ୫ଟି ରାଜ୍ୟରେ ଏଥର ପ୍ରଥମ ଥର ପାଇଁ ୬୦ ଲକ୍ଷ ନୂଆ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |