ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ

ନୂଆଦିଲ୍ଲୀ,୧୦।୧୦:  ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣ ପରେ ଏବେ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ଖେଳିଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଏହି ଲଢ଼େଇକୁ ଏହା ମଧ୍ୟରେ ୭୨ ଘଣ୍ଟା ପୂରିଗଲାଣି । ଏହି ଯୁଦ୍ଧରେ ଇସ୍ରାଏଲର ୯୦୦ ଲୋକଙ୍କର ମୃତ୍ୟୁ ଘଟିବା ସହିତ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଗାଜା ପଟ୍ଟୀରେ ୭୦୪ ଜଣଙ୍କ ମୃତ୍ୟୁ ଘଟିବା ସହିତ ପାଖାପାଖି ୪୦୦୦ ଲୋକ ଆହତ ହୋଇଥିବା କୁହାଯାଉଛି ।ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ ୮୦୦ରୁ ଅଧିକ ହମାସ୍‌ ଠିକଣାରେ ଇସ୍ରାଏଲୀ ସେନା ପକ୍ଷରୁ ଉଭୟ ସ୍ଥଳ ଏବଂ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରାଯାଇଛି। ହମାସକୁ ଆଇଏସ୍‌ଆଇଏସ୍‌ ଠାରୁ ଆହୁରି ବର୍ବର ବୋଲି ଅଭିହିତ କରି ଇସ୍ରାଏଲ ସେନା ଏହି ପଶୁ ସଦୃଶ ମଣିଷଙ୍କୁ ନିପାତ ନ କରିବା ଯାଏଁ ସଂଘର୍ଷ ଜାରି ରଖିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି।ଏଭଳି ଭୟଙ୍କର ଆତଙ୍କ ବିରୋଧରେ ଶକ୍ତିଶାଳୀ ପଦକ୍ଷେପ ଆବଶ୍ୟକ ଯାହା ଆମେ କରୁଛୁ ବୋଲି ପ୍ରତିରକ୍ଷା ବିଭାଗ କହିଛି। ହମାସକୁ ଇରାନ ପାଣ୍ଠି ଯୋଗାଉଛି ବୋଲି ଇସ୍ରାଏଲ ଅଭିଯୋଗ କରୁଛି। ରକ୍ତମୁଖା ପାଲଟିଛି ଇସ୍ରାଏଲ। ଗାଜାକୁ ଚାରିପଟୁ ଘେରି ନିଆଁ, ପାଣି,ଖାଦ୍ୟ ସାମଗ୍ରୀ ଓ ଯୋଗା​ଯୋଗ ବ୍ୟବସ୍ଥାକୁ ବନ୍ଦ କରି ଦେଇଛି। ଆକାଶ ମାର୍ଗରୁ ଗାଜା ଉପରକୁ ଘନଘନ ବୋମା ବର୍ଷଣ କରିବାରେ ଲାଗିଛି। ୨୪ ଘଣ୍ଟା ବୋମା ବର୍ଷା ଫଳରେ ଗାଜାର ସୁ ଉଚ୍ଚ ଅଟ୍ଟାଳିକା ମାଟିରେ ମିଶୁଥିବା ବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି।
ଇସଲାମିକ ଆତଙ୍କବାଦୀ ସଂଗଠନ ‘ହମାସ’ ଅଧୀନରେ ଥିବା ଗାଜାର ଏକ ଅଞ୍ଚଳକୁ ଇସ୍ରାଏଲ ପୁନର୍ବାର ନିଜ ଦଖଲକୁ ନେଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ହମାସର ଅତର୍କିତ ଆକ୍ରମଣ ପରେ ଏହା ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଛି। ଯୁଦ୍ଧରେ ହମାସ ଅଧୀନରେ ଥିବା ଗାଜାକୁ ସମ୍ପୂର୍ଣ୍ଣ ରୂପେ ନିଜ ଦଖଲକୁ ନେବା ଲାଗି ଇସ୍ରାଏଲ ଯୋଜନା କରିଛି। ଗାଲାଣ୍ଟ କହିଛନ୍ତି ଯେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ ନିମନ୍ତେ ନିର୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ଅଭିଯୋଗକୁ ଇରାନ ଖଣ୍ଡନ କରିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ କୌଣସି ବିବୃତି ଜାରି କରିବା ନେଇ ସହମତିରେ ପହଞ୍ଚି ପାରିନାହିଁ। ଇସ୍ରାଏଲ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ହମାସ ଅଚାନକ ଆକ୍ରମଣ କରିବା ଫଳରେ ସେଠାରେ ରହୁଥିବା ଅନେକ ଆମେରିକୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ ଇସ୍ରାଏଲରେ ଲଢ଼ୁଆ ଯୁଦ୍ଧ ଜାହାଜ ଏବଂ ବିମାନ ମୁତୟନ ପାଇଁ ଆମେରିକା ପଦକ୍ଷେପ ନେଇଛି। କେବଳ ଆମେରିକା ନୁହେଁ, ଥାଇଲାଣ୍ଡ ମଧ୍ୟ ଏହାର ୧୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଏବଂ ୧୧ ଜଣଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ କରିଛି। ଏହାବ୍ୟତୀତ ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ମେକ୍ସିକୋ, ନେପାଳ ଏବଂ ୟୁକ୍ରେନର ଅନେକ ନାଗରିକଙ୍କୁ ହୁଏତ ହତ୍ୟା କରାଯାଇଛି କିମ୍ବା ଅପହରଣ କରାଯାଇଛି କିମ୍ବା ସେମାନେ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ହମାସକୁ ସମର୍ଥନ କରି ଇରାନ ସମର୍ଥିତ ଲେବାନନର ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସ୍ଥାନକୁ ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!