ଭୁବନେଶ୍ୱର,୬ା୧୧: ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବ। ରାଜ୍ୟରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷା ଆସନ୍ତା ୧୭ ତାରିଖରେ ଶେଷ ହେବ। ପରୀକ୍ଷା ସରିବା ପରେ ଶୀଘ୍ର ମୂଲ୍ୟାୟନ ଓ ଫଳ ପ୍ରକାଶ ଉପରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିୟମିତ ଭାବେ ସମୀକ୍ଷା କରାଯାଉଛି। ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ସ୍କୁଲଗୁଡ଼ିକରେ ‘ସମଗ୍ର ଶିକ୍ଷା ଯୋଜନା’ରେ କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ନିଯୁକ୍ତି ପାଇବେ। ଏଥିପାଇଁ ୫୮ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ଚଳିତ ମାସ ୧୭ରେ ଏହି ପରୀକ୍ଷା ଶେଷ ହେବ। ମୋଟ ୯୩ ହଜାର ୯୬୬ ଜଣ ପରୀକ୍ଷା ଦେବେ। ପରୀକ୍ଷା ସୁପରିଚାଳନାକୁ ନେଇ ଓସେପା ପକ୍ଷରୁ ସମୀକ୍ଷା କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ଯୋଜନା କରାଯାଇଛି। ପରୀକ୍ଷା ସରିବା ମାତ୍ରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୧୭ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ ବିବେଚତି ପ୍ରାର୍ଥୀଙ୍କର କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକଶିକ୍ଷୟିତ୍ରୀ ଆସନ୍ତା ଜାନୁଆରୀରୁ ୩୦ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କାର୍ଯ୍ୟରେ ନିୟୋଜିତ ହେବେ। ଏହି କନିଷ୍ଠ ଶିକ୍ଷକ(ସ୍କିମେଟିକ୍)ମାନେ (ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ) ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନାରେ ଜିଲା ପରିଷଦ ଦ୍ୱାରା ନିଯୁକ୍ତି ପାଇବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |