ବେଙ୍ଗାଲୁରୁ,୧୨/୧୧: ଚଳିତ ଆଇସିସି ଦିନିକିଆ ବିଶ୍ବକପର ଶେଷ ଲିଗ୍ ମ୍ୟାଚ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଖେଳାଯିବ। ଅପରାଜୟ ଭାରତ ସେମିଫାଇନାଲ ପୂର୍ବରୁ ଶେଷ ପ୍ରସ୍ତୁତି ନେଇ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଖେଳିବ। ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ପୂର୍ବରୁ ମନୋବଳ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି ରୋହିତ ସେନା। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡସ ବିପର୍ଯ୍ୟୟ ଘଟାଇ ବିଶ୍ବକପ ଅଭିଯାନକୁ ଶେଷ କରିବା ନେଇ ମଧ୍ୟ ଲକ୍ଷ୍ୟ ରଖିଛି।ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୮ଟି ମ୍ୟାଚରୁ ୮ଟି ବିଜୟ ସହ ଅପରାଜୟ ରହିଛି। ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ, ଆଫଗାନିସ୍ତାନ ,ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସେମିଫାଇନାଲ ପୂର୍ବରୁ ଦଳ ଶେଷ ପ୍ରସ୍ତୁତି ନେଇ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମ୍ୟାଚ ଖେଳିବ। ବ୍ୟାଟିଂରେ ବିରାଟ କୋହଲି, ଶୁବମାନ ଗିଲ୍, ରୋହିତ ଶର୍ମା, ଶ୍ରେୟାସ ଆୟର, ଲୋକେଶ ରାହୁଲ ସଠିକ୍ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଅନ୍ୟପକ୍ଷରେ ସ୍କଟ୍ ଇଡୱାର୍ଡସଙ୍କ ନେତୃତ୍ବାଧିନ ନେଦରଲ୍ୟାଣ୍ଡ୍ସ ୮ଟି ମ୍ୟାଚରୁ ୨ଟି ବିଜୟ ଓ ୬ଟି ପରାଜୟ ସହ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି। ଭାରତ ବିପକ୍ଷରେ କିଛି ଚମତ୍କାରିତା ଦେଖାଇ ଦଳ ବିଶ୍ବକପ୍ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଭାରତର ପ୍ରଦର୍ଶନକୁ ଦେଖିଲେ ନେଦରଲ୍ୟାଣ୍ଡ୍ସ ପାଇଁ ମ୍ୟାଚ ଜିତିବା ସହଜ ମନେ କରାଯାଉନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |