ମୁମ୍ବାଇ,୧୫୧୧:ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମ। ସାମ୍ନାରେ ବିପର୍ଯ୍ୟୟ ସୃଷ୍ଟି କରିବାରେ ମାହିର ନ୍ୟୁଜିଲ୍ୟାଣ୍ଡ। ଏସବୁ ଭିତରେ ଆଜି ବିଶ୍ୱକପ ସେମି ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚଳିତ ବିଶ୍ୱକପରେ ଭାରତ ଅପରାଜେୟ ରହିଛି। ଆଇସିସି ଇଭେଣ୍ଟରେ ଭଲ ପ୍ରଦର୍ଶନ କରିପାରୁ ନଥିବାରୁ ଟିମ ଇଣ୍ଡିଆ ପୂର୍ବରୁ ଅନେକ ଥର ସମାଲୋଚନାର ଶିକାର ହୋଇଛି। ରାଉଣ୍ଡ ରବିନ୍ ଅର୍ଥାତ ଲିଗ୍ ପର୍ଯ୍ୟାୟରେ ଭାରତ କ୍ରମାଗତ ୯ଟି ମ୍ୟାଚ୍ ଜିତି ୧୮ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ସାରଣୀର ଶୀର୍ଷରେ ରହି ସେମିକୁ ଉଠିଥିଲା। ଲିଗ୍ ପର୍ଯ୍ୟାୟରେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। କିନ୍ତୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଅଲଗା ହେବ। ଭାରତ ସମ୍ପୂର୍ଣ୍ଣ ଭାବେ ଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ୱାଙ୍ଖେଡେ ପିଚ୍ ବ୍ୟାଟର ଓ ସୁଇଂ କରାଉଥିବା ବୋଲରଙ୍କୁ ସୁହାଇବ। ସେହିପରି ଦ୍ୱିତୀୟ ପାଳିରେ ସନ୍ଧ୍ୟା ପରେ ଫ୍ଲଡ ଲାଇଟ୍ ତଳେ ନୂଆ ବଲକୁ ସାମ୍ନା କରିବା କଷ୍ଟକର ହେବ। ନ୍ୟୁଜିଲାଣ୍ଡ ଦଳରେ ବିଶ୍ୱସ୍ତରୀୟ ବୋଲର ଓ ବ୍ୟାଟର ରହିଛନ୍ତି। ତେଣୁ ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ରହିଛି। ଖାସ୍ କରି ରଚିନ ରବୀନ୍ଦ୍ର, ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ ସାଣ୍ଟନର ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ। କିନ୍ତୁ ଏଥର ଦଳ ୯ ମ୍ୟାଚ୍ରୁ ୯ ବିଜୟ ହାସଲ କରିଛି। ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆ ବିଶ୍ୱକପରେ ସମସ୍ତ ମ୍ୟାଚ୍ ଜିତି ବିଶ୍ୱ ବିଜେତା ହୋଇଥିଲା। ଏବେ ଭାରତ ମଧ୍ୟ ସେହି ଦିଗରେ ଯାଉଛି।ବିଶ୍ୱକପରେ ଉଭୟ ଦଳଙ୍କ ସାମ୍ନାସାମ୍ନି ସ୍ଥିତିକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ଜଣାପଡୁଛି। ବିଗତ ୧୨ଟି ସଂସ୍କରଣରେ ଦୁଇ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି। ନ୍ୟୁଜିଲାଣ୍ଡ ୫ଟିରେ ବିଜୟୀ ହୋଇଥିବାବେଳେ ଭାରତ ୪ଥର ବିଜୟୀ ହୋଇଛି। ତେବେ ଦୁଇ ଦଳ ମଧ୍ୟରେ ହୋଇଥିବା ଶେଷ ୫ଟି ଦିନିକିାଆ ମ୍ୟାଚରୁ ଟିମ ଇଣ୍ଡିଆ ୪ଟିରେ ବିଜୟୀ ହେବା ସହ ଲିଗ ମ୍ୟାଚରେ ବିଜୟ ଅଭିଜ୍ଞତା ନେଇ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |