ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

ରାଇରଙ୍ଗପୁର,୧୫।୧୧: ଚଳିତ ମାସ ୨୦ ଓ ୨୧ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ନିଜ ଜନ୍ମ ମାଟିରେ ପାଦ ଥାପିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା । ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ବାରିପଦା ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ”ର ୩୬ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଦାୟିତ୍ବ ଗ୍ରହଣ ପରେ ଜନ୍ମମାଟିକୁ ଏହା ତାଙ୍କର ଦ୍ବିତୀୟ ଗସ୍ତ ହେବ। ସେ ୨୦ ତାରିଖ ଦିନ ବାରିପଦା କାର୍ଯ୍ୟକ୍ରମରେ ଯୋଗଦେବା ସହ ୨୧ ତାରିଖ ରାଇରଙ୍ଗପୁର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ୨୦ ତାରିଖ ରାତି ରାଇରଙ୍ଗପୁରରେ ରାତ୍ରୀଯାପନ କରିବେ ବୋଲି ଜଣାପଡ଼ିଛି। ପରଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୩ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବେ। ତେବେ ଏହି ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।ଏଥି ପାଇଁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସିଛି। ହେଲିପ୍ୟାଡ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗାଁ ପାହାଡ଼ପୁର ସହ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରାଯାଉଛି। ସେହିପରି ପକ୍କା ରାସ୍ତା ନିର୍ମାଣ ଏବଂ ବିଦ୍ୟୁତ୍ ମରାମତି କାମ ମଧ୍ୟ ହେଉଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ବାରା ନିର୍ମିତ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟ ଏବଂ ସ୍ବାମୀ ଓ ଦୁଇ ପୁଅଙ୍କ ସମାଧିପୀଠର ନବକଳେବର ଚାଲିଛି। ରାଇରଙ୍ଗପୁରସ୍ଥିତ ବାସଭବନକୁ ମଧ୍ୟ ସଜଡ଼ା ଯାଉଛି। ଅନ୍ୟପଟେ ରହଣି ନେଇ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସବୁପ୍ରକାର ବ୍ୟବସ୍ଥା ହୋଇଛି। ଝାଡ଼ଖଣ୍ତର ଟାଟା ନଗରରୁ ଆସିଥିବା ସ୍ବତନ୍ତ୍ର ଖଟ ଓ ବିଛଣା ସହ ସ୍ବତନ୍ତ୍ର ଚୌକି ପ୍ରସ୍ତୁତ ରହିଛି। ତେବେ ଗତଥର ପରି ଏଥର ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରସ୍ଥିତ ତାଙ୍କ ବାସଭବନରେ ରହିବେ ବୋଲି ଭାଇ ତରଣୀସେନ ଟୁଡୁ ‘ସମ୍ବାଦ’କୁ ଜଣାଇଛନ୍ତି। ଏହା ସହିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାଉଜ ସାକ୍ରମଣି ଟୁଡ଼ୁଙ୍କ ଦ୍ବାରା ବିନା ପିଆଜ ଓ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଇବେ। ଆବଶ୍ୟକ ପଡ଼ିଲେ ରୁଚି ଅନୁଯାୟୀ ଖାଦ୍ୟ ବ୍ୟବସ୍ଥା ହେବ ବୋଲି ମଧ୍ୟ ଶ୍ରୀ ଟୁଡ଼ୁ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!