ଭୁବନେଶ୍ବର ୨୮।୧୧:ଗିରଫ ହେଲେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ଘରୁ ବିପୁଳ ଟଙ୍କା ବାହାରିବା ପରେ ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସୁଶାନ୍ତଙ୍କ ମୋଟ ୩୭ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ।ଗତକାଲି ରାତିରେ ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକ ସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିଲେ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ। ସେହି ସମୟରେ ତାଙ୍କ ପାଖରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ପଇସା କୁଆଡୁ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ ଥାନା ବାବୁ ଏହାର କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ତେବେ ଏନେଇ ସନ୍ଦେହ ବଢ଼ିବାରୁ ଅଧିକ ଛାନଭିନ ଆରମ୍ଭ କରିଥିଲା ଭିଜିଲାନ୍ସ। ଏହା ପରେ ତଲାସି ବେଳେ ସୁଶାନ୍ତଙ୍କ ବୈପାରିଗୁଡ଼ା କ୍ୱାଟର୍ସରୁ ୩ ଲକ୍ଷ ଟଙ୍କା ମିଳିଥିଲା। ପରେ ପରେ ତାଙ୍କ ବୈପାରିଗୁଡ଼ା ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ଶେଷରେ ସୁଶାନ୍ତଙ୍କ କଟକ କ୍ୱାଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ପାଇଥିଲା ଭିଜିଲାନ୍ସ। ଯାହାକୁ ମିଶାଇ ସୁଶାନ୍ତଙ୍କ ମୋଟ ୩୭ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ। ତେବେ ଏତେ ଟଙ୍କା ତାଙ୍କ ପାଖରେ କେଉଁଠୁ ଆସିଲା ଏନେଇ ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ ପଚାରିଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଆଇଆଇସି ସୁଶାନ୍ତ ଶତପଥୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |