ନୂଆଦିଲ୍ଲୀ,୪।୧୨ : ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ରାଜ୍ୟସଭା ସଦସ୍ୟତା ଫେରିପାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦ ରାଘବଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି। ଆଜିଠୁ (ସୋମବାର) ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା। ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଢ଼ାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ। ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି, “ ଏହି ୧୧୫ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି । ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି । ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଉଛି।”ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ୧୧ ଅଗଷ୍ଟ ୨୦୨୩ରେ ଅନୁଶାସନହୀନତା ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଦିଲ୍ଲୀ ସେବା ବିଧେୟକ ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ୫ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ନେଇ ଚଢ଼ାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାପରେ ରାଜ୍ୟସଭାରେ ଶାସକ ଦଳର ନେତା ପୀୟୁଷ ଗୋୟଲ ଅଗଷ୍ଟ ୧୧ରେ ଆପ୍ ନେତା ରାଘବ ଚଢ଼ାଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲେ ଯାହା ଗୃହରେ ଗୃହୀତ ହୋଇଥିଲା । ଦିଲ୍ଲୀ ସେବା (ସଂଶୋଧନ) ବିଲ୍, ୨୦୨୩କୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଚଢ଼ା ଏକ ଦାବିପତ୍ରରେ କିଛି ସାଂସଦଙ୍କ ନାମ ସେମାନଙ୍କ ଅନୁମତି ବିନା ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସାଂସଦଙ୍କ ବିନା ସହମତିରେ ପ୍ରସ୍ତାବରେ ନାଁ ନେବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |