ରାସ୍ତା କଡରେ ଠିଆ ହୋଇଥିଲେ ; ଚାଲିଗଲା ଜୀବନ

ପିପିଲି,୭/୧୨ : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ଠାରେ ଗୁରୁବାର ସକାଳ ୮ଟା ସମୟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଫଗୁ ବେହେରା ଓ ତାଙ୍କ ଘର ନିକଟବର୍ତ୍ତି ମାଳିକପାଳି ଗ୍ରାମରେ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌‌ କୌଣସି କାରଣରୁ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଫଗୁଙ୍କୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତା ଉପରେ ମୃତଦେହ ପଡି ରହିବା ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ଥାନା ଏସ୍‌‌ଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ନନ୍ଦ, ରାଜନ ବିଶୋଇ, ଏଏସ୍‌‌ଆଇ ସାନ୍ତନୁ ନାୟକ, ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଏସ୍‌‌ଆଇ ଶ୍ରୀବିଶୋଇ ଓ ଏଏସ୍‌‌ଆଇ ଶ୍ରୀନାୟକ ମୃତଦେହକୁ ପୁଲିସ ଗାଡିରେ ପୁରୀ ଡାକ୍ତରଖାନାକୁ ନେଇଥିଲେ। ଘଟଣାସ୍ଥଳରେ ପୁଲିସ ଟ୍ରାଫିକ୍‌‌ ନିୟନ୍ତ୍ରଣ କରିବା ପରେ ସେହି ରାସ୍ତାଦେଇ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ବସ୍‌‌କୁ ପୁଲିସ ଜବତ କରି ସାତଶଙ୍ଖ ଫାଣ୍ଡିରେ ରଖିଥିବା ବେଳେ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!