ନୂଆଦିଲ୍ଲୀ,୧୨ା୧୨:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କରେ ଭାରତୀୟ ସମୟ ରାତି ୮ଟା ୩୦ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଡିସେମ୍ବର ୧୪ରେ ଜୋହାନ୍ସବର୍ଗରେ ତୃତୀୟ ମ୍ୟାଚ୍ ଖେଳାଯିବ।ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମୁକାବିଲାରୁ ଭାରତୀୟ କ୍ରିକେଟ ଦଳର ପୂର୍ଣ୍ଣାଙ୍ଗ ସିରିଜ୍ ଆସନ୍ତାକାଲି (ରବିବାର)ଠାରୁ ଆରମ୍ଭ ହେଉଛି। ଆସନ୍ତାବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଜୁନ୍ ୪ରୁ ୨୦ ତାରିଖ ଖେଳାଯିବ ଟି-୨୦ ବିଶ୍ୱକପ୍। ଏହା ପୂର୍ବରୁ ଉଭୟ ଦଳ ନିକଟରେ ଏକାଠି ହୋଇ ଖୁବ୍ କମ୍ ସଂଖ୍ୟକ ମ୍ୟାଚ୍ ଖେଳିବାର ସୁଯୋଗ ରହିଛି। ଏଣୁ ଉଭୟ ଦଳ ଏହି ୩ ମ୍ୟାଚରୁ ବିଶ୍ୱକପ୍ ଲାଗି ପ୍ରସ୍ତୁତି କରିବେ। ନିକଟରେ ଅଷ୍ଟ୍ରେଲିଆ ସହ ଘରୋଇ ମାଟିରେ ସିରିଜ୍ ଜିତି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ସଂଗଠିତ ହୋଇପାରିଛି। କିନ୍ତୁ ଏହି ଦଳର ଜଣେ ହେଲେ ଖେଳାଳି ଦକ୍ଷିଣ ଆଫ୍ରିକାରେ ଖେଳିବାର ଅଭିଜ୍ଞତା ନାହିଁ। ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ ଅନେକ ନୂଆ ଖେଳାଳି ସାମିଲ ହୋଇଛନ୍ତି। କିନ୍ତୁ ଏମାନେ ଘରୋଇ ମାଟିରେ ବେଶ ଅଭିଜ୍ଞ। ଏମାନଙ୍କୁ ମୁକାବିଲା କରିବା ଭାରତୀୟ ଖେଳାଳିଙ୍କ ଲାଗି ଏକ ବଡ଼ ଆହ୍ୱାନ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଖେଳି ଭାରତୀୟ ଖେଳାଳିମାନେ ବିଶ୍ୱର ଯେ କୌଣସି ଦଳ ବିପକ୍ଷରେ ଭଲ ଖେଳିବେ। କିନ୍ତୁ ଭାରତୀୟ ପିଚ୍ ଅନ୍ୟଦେଶଠାରୁ ଭିନ୍ନ। ବିଶେଷକରି ଦକ୍ଷିଣ ଆଫ୍ରିକା ପିଚ୍ରେ ଭାରତୀୟ ହିଟରମାନେ କିପରି ପ୍ରଦର୍ଶନ କରିବେ ତାହାକୁ ନେଇ ଦଳର ମ୍ୟାନେଜମେଣ୍ଟ ସଂଶୟରେ ରହିଛି। ବ୍ୟାଟିଂ ହେଉ ଅବା ବୋଲିଂ ଭାରତୀୟ ଖେଳାଳିମାନେ ପ୍ରଥମେ ଆଡଜଷ୍ଟ କରିବେ ଓ ପରେ ଖେଳିବେ। କିନ୍ତୁ ଟି-୨୦ରେ ସମୟ ଖୁବ୍ କମ୍। ସୂର୍ଯ୍ୟକୁମାରଙ୍କ ଦଳ କିପରି ମୁକାବିଲା କରିବ ତାହା ସମୟ କହିବ। ଦଳରେ ୧୭ଜଣ ଖେଳାଳିଙ୍କୁ ନିଆଯାଇଛି। ଅଧିନାୟକଙ୍କୁ ଦଳ ବାଛିବାକୁ ଆଦୌ କଷ୍ଟ ହେବ ନାହିଁ। ସମସ୍ତ ପ୍ରକାର ସମୀକରଣକୁ ନେଇ ଦଳ ଚୟନ କରାଯାଇପାରିବ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କାହାକୁ ୬ଷ୍ଠ ବୋଲର ଭାବେ ନିଆଯିବ ତାହା ସ୍ଥିର କରାଯାଇପାରି ନାହିଁ।
ଭାରତ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଦୀପକ ଚହର।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକେ, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ/ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍, ଡୋନୋଭାନ ଫେରେଇରା, ମାର୍କୋ ୟାନସେନ୍/ଆନ୍ଦିଲ ଫେଲୁକ୍ବାୟୋ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନନ୍ଦ୍ରେ ବର୍ଜର, ତାବ୍ରାଇଜ୍ ସାମସି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |