ସଂସଦରେ ଗ୍ୟାସ୍ ସ୍ପ୍ରେ , ତଦନ୍ତ ପାଇଁ କମିଟି ଗଠିତ

ନୂଆଦିଲ୍ଲୀ,୧୪।୧୨ : ସଂସଦରେ ଧୂଆଁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।ଗତକାଲି ସଂସଦ ଭବନରେ ଦେଖାଦେଇଥିବା ବଡ଼ଧରଣର ସୁରକ୍ଷା ତ୍ରୁଟିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ସଂସଦର କଡ଼ା ସୁରକ୍ଷାକୁ ଭେଦ କରିବା ପଛରେ ୬ ଜଣଙ୍କ ନାମ ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତମାନେ ୪ଟି ଅଲଗା ଅଲଗା ରାଜ୍ୟର ବୋଲି କୁହାଯାଉଛି । ତେବେ ଏହା ମଧ୍ୟରେ ପୁଣି କିଛି ନୂଆ ଖୁଲାସା ହୋଇଛି । ଲୋକସଭାର ସୁରକ୍ଷା କବଚକୁ ଚ୍ୟାଲେଞ୍ଜ କରି ବେଆଇନ ଭାବେ ପ୍ରବେଶ କରିଥିବା ସମସ୍ତ ଅଭିଯୁକ୍ତ ସୋସିଆଲ ମିଡ଼ିଆ ପେଜ ‘ଭଗତ ସିଂହ ଫ୍ୟାନ କ୍ଲବ’ର ସଦସ୍ୟ ଅଟନ୍ତି । ପାଖପାଖି ଦେଢ଼ ବର୍ଷ ପୂର୍ବେ ସମସ୍ତେ ମୌସୁରରେ ଏକତ୍ର ହୋଇଥିଲେ ଓ ୯ ମାସ ପରେ ସେମାନେ ପୁଣି ଥରେ ଏକତ୍ର ହେବା ସହ ଲୋକସଭାକୁ ଧସେଇ ପଶିବାକୁ ପ୍ଲାନ କରିଥିଲେ । ଗତ ୧୦ ତାରିଖରେ ସମସ୍ତେ ନିଜ ନିଜ ରାଜ୍ୟରୁ ଦିଲ୍ଲୀ ପହଞ୍ଚିଥିଲେ । ସେହିଦିନ ରାତିରେ ସେମାନେ ଗୁରୁଗ୍ରାମର ଜଣେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ ।ଜଣେ ଅଭିଯୁକ୍ତ ମହାରାଷ୍ଟ୍ରରୁ ସ୍ମଗ ଆଣିଥିଲା । ସମସ୍ତ ୫ ଜଣ ଅଭିଯୁକ୍ତ ଇଣ୍ଡିଆ ଗେଟରେ ଏକତ୍ର ହେବା ସହ ସମସ୍ତଙ୍କୁ ରଙ୍ଗୀନ ବାଣ ବଣ୍ଟାଯାଇଥିଲା । ଦୁଇ ଜଣ ଅଭିଯୁକ୍ତ ସଂସଦ ଭବନ ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ ଜଣେ ଅଭିଯୁକ୍ତ ବାହାରେ ରହି ଭିଡିଓ ରେକର୍ଡ କରୁଥିଲା ଓ ହଙ୍ଗାମା ହେବା ପରେ ସେ ସମସ୍ତଙ୍କର ମୋବାଇଲ ଧରି ପଳାଇ ଯାଇଥିଲା । ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ସାଗର ଶର୍ମା ଜଣେ ସାଂସଦଙ୍କ ଠାରୁ ଦର୍ଶକ ପାସ ପାଇଥିଲା । ସାଗରର ବାପା ଉକ୍ତ ସାଂସଦଙ୍କର ନିର୍ବାଚନ ମଣ୍ଡଳୀର ଜଣେ ବାସିନ୍ଦା ହୋଇଥିବା ବେଳେ ସେ ସଂସଦ ଭବନ ପରିଦର୍ଶନ ପାଇଁ ଏକ ପାସ୍ ଦେବାକୁ ଅନୁରୋଧ କରିôଥଲେ । ସେହିପରି ଆଉ ଜଣେ ଅଭିଯୁକ୍ତ ମନୋରଞ୍ଜନ ଡି ମଧ୍ୟ ସାଂସଦଙ୍କ ପ୍ରଦତ୍ତ ପାସ ଯୋଗେ ଲୋକସଭାକୁ ପ୍ରବେଶ କରିଥିବା ଜଣାପଡ଼ିଛି ।ସଂସଦର ସୁରକ୍ଷା ବ୍ୟବସ୍ଥାରେ ଏପରି ସାଂଘାତିକ ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!