କାଲିଠାରୁ ଶ୍ରମିକ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର,୭।୧:ଆସନ୍ତାକାଲିଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ। ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ମହାସଂଘ। ଆଜି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି। ସେପଟେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଭାପତି କହିଛନ୍ତି, ଯଦି ପୁଣି ଧର୍ମଘଟ ହୁଏ, ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ।ଅନ୍ୟପଟେ ଏହି ଧର୍ମଘଟ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଡ୍ରାଇଭର ଆନ୍ଦୋଳନ ଯୋଗୁ ଶନିବାର ଅଧିକାଂଶ ପେଟ୍ରୋଲ ପମ୍ପରେ ଷ୍ଟକ ବହୁତ କମି ଯାଇଥିଲା। ମାଲକାନଗିରି, ନବରଙ୍ଗପୁର କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇଥିଲା। ଶେଷରେ ଶନିବାର ସନ୍ଧ୍ୟାରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର ପରେ ଡିପୋରୁ ୨୫-୩୦ ପ୍ରତିଶତ ଟ୍ୟାଙ୍କରରେ ତେଲ ଲୋଡିଂ ହୋଇପାରିଛି। ରବିବାର ସତ୍ତ୍ୱେ ଆଜି ସକାଳୁ କିଛି ଡିପୋରୁ ଅଳ୍ପ କିଛି ଟ୍ୟାଙ୍କରରେ ତେଲ ଲୋଡ ହୋଇଛି। କିନ୍ତୁ ଆସନ୍ତାକାଲିଠାରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ପୁଣି ଧର୍ମଘଟ ହେଲେ ସନ୍ଧ୍ୟା ସୁଦ୍ଧା ପ୍ରାୟ ପେଟ୍ରୋଲ ପମ୍ପରେ ପୁଣି ତେଲ ଅଭାବ ଦେଖାଦେବ। ତେଣୁ ତେଲ ଯୋଗାଣ ସ୍ଵାଭାବିକ କରିବା ନେଇ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।ଆନ୍ଦୋଳନ ନେଇ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯିବ। ଏଇଟା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଛି। ପୂର୍ବରୁ ଇଣ୍ଡିଆନ୍‌ ପେନାଲ୍‌ କୋଡର ୧୦୪ ନମ୍ୱର ଧାରା (କ) ଅନୁସାରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଚାଳକଙ୍କୁ ୨ ବର୍ଷ ଜେଲ ଦଣ୍ଡ ଥିଲା। ହେଲେ ନରେନ୍ଦ୍ର ମୋଦିଙ୍କ ସରକାର ଆସିଲା ପରେ ଇଣ୍ଡିଆନ୍‌ ପେନାଲ୍‌ କୋଡକୁ ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା କରିଛନ୍ତି। ଯେଉଁଥିରେ ଚାଳକଙ୍କୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାକ୍ଷାନ କରୁଛି। ଆମର ଦାବି ଯଥାଶୀଘ୍ର କେନ୍ଦ୍ର ସରକାର ଏହି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ। ଏହି ଆଇନ୍‌କୁ ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ସମଗ୍ର ଭାରତ ବର୍ଷରେ ଆନ୍ଦୋଳନ ହେବ। ଏହି ପରିପ୍ରେକ୍ଷିରେ ଆମେ ଚାହୁଁଛୁ ଓଡ଼ିଶା ସରକାର ଡ୍ରାଇଭରଙ୍କୁ ନ୍ୟାୟ ଦିଅନ୍ତୁ। ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ। କିନ୍ତୁ ରାଜ୍ୟ ସରକାର ଯଦି ପୁଲିସ୍‌ ଲଗାଇ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତାହାହେଲେ ବୁଝିବାକୁ ପଡ଼ିବ ରାଜ୍ୟ ସରକାର କୌଣସି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁ ନାହାନ୍ତି ବୋଲି ଶ୍ରୀ ପତି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!