ମୁମ୍ବାଇ,୯।୧୦: ସଂଗୀତର ବାଦଶାହ ଉସ୍ତାଦ୍ ରାସିଦ୍ ଖାନ୍ ଆଉ ନାହାଁନ୍ତି। ମଙ୍ଗଳବାର ସେ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ସହିତ ଲଢୁଥିଲେ। ଡିସେମ୍ବରରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଡିସେମ୍ବର ୨୩ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା।ଗତ କିଛି ଦିନ ହେବ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ଥିଲେ। ପ୍ରଥମେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ୍ କର୍କଟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା, କିନ୍ତୁ ପରେ ତାଙ୍କୁ କୋଲକାତା ସ୍ଥାନାନ୍ତରିତ କାରାଯାଇଥିଲା।ଉସ୍ତାଦ୍ ରାସିଦ ଖାନ ଉତ୍ତରପ୍ରଦେଶର ବଦାୟୁରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଜେଜେବାପା ଉସ୍ତାଦ୍ ନିସାର ହୁସେନ୍ ଖାନଙ୍କଠାରୁ ତାଲିମ ନେଇଥିଲେ। ରାସିଦ ଖାନଙ୍କ ପ୍ରଥମ ମଞ୍ଚ ପ୍ରଦର୍ଶନ ୧୧ ବର୍ଷ ବୟସରେ ହୋଇଥିଲା। ସେ ରାମପୁର-ସାହାସୱାନ ଘରାନେର ଜଣେ ଗାୟକ ଥିଲେ। ସେ ଚଳଚ୍ଚିତ୍ରରେ ମଧ୍ୟ ସ୍ୱର ଦେଇଥିଲେ। ସେ ‘ଜବ୍ ୱି ମେଟ୍’ରେ ଗାଇଥିବା ବନ୍ଦିଶ୍ ଗୀତ ବହୁତ ଲୋକପ୍ରିୟ ହୋଇଥିଲା।ରାସିଦ ଖାନ, ତାଙ୍କ ଜେଜେବାପା ପରି ଭାବବିହ୍ୱଳ ହୋଇ ଗୀତ ଗାଉଥିଲେ। ଉସ୍ତାଦ୍ ଆମୀର ଖାନ ଏବଂ ପଣ୍ଡିତ ଭୀମସେନ ଯୋଶୀଙ୍କ ଗୀତରେ ମଧ୍ୟ ସେ ପ୍ରଭାବିତ ହୋଇଥିଲେ। ସେ ଇଣ୍ଡଷ୍ଟ୍ରିରେ ‘ତୋରେ ବିନା ମୋହେ ଚେନ୍’ ପରି ଏକ ସୁପରହିଟ୍ ଗୀତ ଗାଇଥିଲେ।ନିଜ ସ୍ୱର ସହିତ ସଙ୍ଗୀତ ଜଗତକୁ ବିସ୍ମିତ କରିଥିବା ଉସ୍ତାଦ୍ ରାସିଦ ଖାନଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ପୁରସ୍କୃତ ମଧ୍ୟ କରାଯାଇଛି। ରାସିଦଙ୍କ ସଙ୍ଗୀତ କ୍ୟାରିୟର ୧୧ ବର୍ଷ ବୟସରେ ଆରମ୍ଭ ହୋଇଥିଲା। ସେ ଅନେକ ବଙ୍ଗଳା ଗୀତ ମଧ୍ୟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |